ଶ୍ରୀନଗର, ୧୭/୮: ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ନିଜ ସାଥୀଙ୍କ ପ୍ରତିଶୋଧ ନେଇଛି ଭାରତୀୟ ସେନା। ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ ଜାମ୍ମୁ-କାଶ୍ମୀରର ବାରାମୂଲାରେ ସିଆରପିଏଫର ନାକା ଟିମ୍ ଉପରେ ଆକ୍ରମଣର ଦେଢ ଘଣ୍ଟା ଭିତରେ ହିଁ ସୁରକ୍ଷାବଳ ଅଞ୍ଚଳରେ ଛପିଥିବା ତିନି ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି। ମୃତକ ସମସ୍ତ ଆତଙ୍କୀ ଲସ୍କର ଏ ତୋଇବାର ବୋଲି ଜଣାପଡିଛି।
ସୂଚନା ଅନୁଯାୟୀ ଭାରତୀୟ ସୁରକ୍ଷାବଳକୁ ଏହାର ଗୁଇନ୍ଦା ସୂଚନା ମିଳିଥିଲା ଯେ ଆତଙ୍କବାଦୀ ଆକ୍ରମଣ ଘଟାଇବା ପରେ ଇଲାକାରେ ହିଁ ଲୁଚି ରହିଛନ୍ତି। ଭାରତୀୟ ସୁରକ୍ଷାବଳର ଯବାନ ତୁରନ୍ତ ଇଲାକାକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଏହି ସମୟରେ ଆତଙ୍କବାଦୀ ଏକ ଘରୁ ଯବାନଙ୍କ ଉପରକୁ ଗୁଳି ବର୍ଷଣ କରିଥିଲେ। ଏହା ପରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଘଟିଥିଲା। ଏଥିରେ ତିନି ଆତଙ୍କବାଦୀ ସେନା ଗୁଳିରେ ନିହତ ହୋଇଛନ୍ତି।
ସୂଚନାଯୋଗ୍ୟ, ଜାମ୍ମୁ-କାଶ୍ମୀରର ବାରାମୂଲାରେ ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ ସିଆରପିଏଫର ନାକା ପାର୍ଟି ଉପରେ ଆତଙ୍କବାଦୀ ଆକ୍ରମଣ କରିଥିଲେ। ଆତଙ୍କବାଦୀ ବାରାମୂଲା ଜିଲ୍ଲାର କ୍ରେରି ଅଞ୍ଚଳରେ ଏହି ଘଟଣା ଘଟାଇଥିଲେ। ଆକ୍ରମଣରେ ପୋଲିସର ଜଣେ ଅଫିସର ଓ ସିଆରପିଏଫର ଦୁଇ ଯବାନ ସହିଦ ହୋଇଛନ୍ତି। ଆହତ ସୈନିକଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ହେଲେ ଚିକିତ୍ସାଧୀନ ସମୟରେ ଯବାନ ଆଖିବୁଜି ଥିଲେ।