ନୂଆଦିଲ୍ଲୀ, ୦୭/୦୪ : ‘ଇଣ୍ଡିଆନ୍ ଆଇଡଲ୍-୧୫’ର ଗ୍ରାଣ୍ଡ ଫିନାଲେ ଶେଷ ହୋଇଛି । କୋଲକାତାର ମାନସୀ ଘୋଷ ଏହି ସିରିଜର ବିଜେତା ଘୋଷିତ ହୋଇଛନ୍ତି । ନିଜ ଯାଦୁକରୀ କଣ୍ଠରେ ସେ କୋଟି କୋଟି ଦର୍ଶକଙ୍କ ହୃଦୟ ଜିଣିଛନ୍ତି । ପୁରସ୍କାର ସ୍ୱରୂପ ତାଙ୍କୁ ଟ୍ରଫି ସମେତ ୨୫ ଲକ୍ଷ ଟଙ୍କା ମିଳିଛି । ଏଥିସହିତ ତାଙ୍କୁ ଏକ କାର୍ ଉପହାର ବି ମିଳିଛି । ‘ଇଣ୍ଡିଆନ୍ ଆଇଡଲ୍’ର ଅଫିସିଆଲ୍ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ମାନସୀ ଘୋଷଙ୍କୁ ଶୁଭେଚ୍ଛା ଦିଆଯାଇଛି । ଏଥିରେ ଲେଖାଯାଇଛି ଯେ ଇଣ୍ଡିଆନ ଆଇଡଲ୍ ସିଜନ ୧୫ ଜିତିଥିବାରୁ ମାନସୀଙ୍କୁ ଅନେକ ଅନେକ ଶୁଭେଚ୍ଛା । ବିଜୟ ମୁକୁଟ ପିନ୍ଧିବାକୁ ସେ ହକ୍ଦାର ଥିଲେ । ତାଙ୍କର ପ୍ରତ୍ୟେକ ସଙ୍ଗୀତ ପରିବେଷଣ ଅଭୁଲା ରହିବ । ମାନସୀଙ୍କ ସମେତ ଶୁଭଜିତ ଚକ୍ରବର୍ତ୍ତୀ, ଚୈତନ୍ୟ ଦେୱଧେ(ମୌଲୀ), ପ୍ରିୟାଂଶୁ ଦତ୍ତା ଓ ସ୍ନେହା ଶଙ୍କର ଉପନୀତ ହୋଇଥିଲେ । ଟପ୍ ୩ ଫାଇନାଲିଷ୍ଟ ହୋଇଥିଲେ ମାନସୀ, ଶୁଭଜିତ ଓ ସ୍ନେହା । ମଞ୍ଚରେ ସମସ୍ତଙ୍କ ଗୀତ ଦର୍ଶକଙ୍କୁ ପସନ୍ଦ ଆସିଥିଲା । କିନ୍ତୁ ମାନସୀ ତାଙ୍କର ଚମତ୍କାର ସ୍ୱର ଓ ତାଳରେ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ । କୋଟି କୋଟି ଲୋକଙ୍କ ହୃଦୟ ଜିଣିଥିଲେ । ୨୪ ବର୍ଷୀୟା ମାନସୀଙ୍କ ଘର କୋଲକାତାରେ । ସ୍ନେହା ଶଙ୍କର ଦ୍ୱିତୀୟ ରନର-ଅପ୍ ହୋଇ ୫ ଲକ୍ଷ ଟଙ୍କା ପୁରସ୍କାର ପାଇଛନ୍ତି । ଗ୍ରାଣ୍ଡ ଫିନାଲେରେ ମିକା ସିଂହ ଓ ରବୀନା ଟଣ୍ଡନ ଅତିଥି ଭାବେ ମଞ୍ଚାସୀନ ଥିଲେ ।