କିସରେ ଭାରତୀୟ ରାଜନୀତି ବିଜ୍ଞାନ ମହାକୁମ୍ଭ ଉଦ୍ଯାପିତ, ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇପିଏସ୍ଏ ନ୍ୟାସନାଲ୍ ଥ୍ୟାଙ୍ଗଫୁଲ୍ନେସ୍ ସମ୍ମାନ ପ୍ରଦାନ
ଭୁବନେଶ୍ୱର, ୩୦/୧୨ : କିସରେ ଭାରତୀୟ ରାଜନୀତି ବିଜ୍ଞାନ ମହାକୁମ୍ଭ ଉଦ୍ଯାପିତ । କିସ ବିଶ୍ୱବିଦ୍ୟାଳୟରେ ଦୁଇ ଦିନିଆ ୬୨ତମ ସର୍ବ ଭାରତୀୟ ରାଜନୀତି ବିଜ୍ଞାନ ସମ୍ମିଳନୀ ଓ ଅନ୍ତର୍ଜାତୀୟ ଆଲୋଚନାଚକ୍ର ଉଦ୍ଯାପିତ ହୋଇଛି । କିସ୍ ଓ ଇଣ୍ଡିଆନ ପଲିଟିକାଲ୍ ସାଇନ୍ସ ଆସୋସିଏସନ୍(ଆଇପିଏସ୍ଏ) ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା ଆଲୋଚନାଚକ୍ର । ଏହି ଅବସରରେ ଆଇପିଏସ୍ଏ ପକ୍ଷରୁ କିଟ ଓ କିସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇପିଏସ୍ଏ ନ୍ୟାସନାଲ୍ ଥ୍ୟାଙ୍ଗଫୁଲ୍ନେସ୍ ସମ୍ମାନ ପ୍ରଦାନ କରାଯାଇଥିଲା । ଏହାଛଡ଼ା ଡ. ସାମନ୍ତଙ୍କୁ ଆଇପିଏସ୍ଏର ଅନରାରୀ ଆଜୀବନ ସଦସ୍ୟ ଭାବେ ଗ୍ରହଣ କରାଯାଇଥିଲା । ଏହି ସମ୍ମିଳନୀରେ ‘ଉଇ ଦି ପିପଲ୍ ଅଫ୍ ଭାରତ’ ଉପରେ ଆନ୍ତର୍ଜାତିକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ସଭାପତିତ୍ୱ କରି ଭାରତୀୟ ରାଜନୀତି ବିଜ୍ଞାନ ସଂଘର ସଭାପତି ତଥା ବିକାନିରସ୍ଥିତ ମହାରାଜା ଗଙ୍ଗାସିଂହ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମନୋଜ ଦୀକ୍ଷିତ ୨୦୪୭ ମସିହା ସୁଦ୍ଧା ଭାରତକୁ ବିଶ୍ୱର ବିକଶିତ ରାଷ୍ଟ୍ରରେ ପରିଣତ କରିବା କ୍ଷେତ୍ରରେ ରାଜନୀତି ବିଜ୍ଞାନୀଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ । ଭାରତର ବିକାଶରେ ସବୁବେଳେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ସେମାନଙ୍କ ପ୍ରଭାବ ଓ ହସ୍ତକ୍ଷେପ କରିବାକୁ ପ୍ରୟାସ କରୁଛନ୍ତି । କିନ୍ତୁ ଏହାକୁ ପ୍ରତିହତ କରି ଆମେ ଆମର ନିଜସ୍ୱ ମାର୍ଗରେ ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଦିଗରେ ଅଗ୍ରସର ହୋଇଛୁ ।
ଶତାବ୍ଦୀ ଶତାବ୍ଦୀ ଧରି ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ବିକଶିତ ରାଷ୍ଟ୍ରର ଯେଉଁ ପରିଭାଷା ସୃଷ୍ଟି କରିଥିଲେ ତାକୁ ଭାରତ ପ୍ରତିହତ କରିଚାଲିଥିବାରୁ ଏହା ସେମାନଙ୍କ ପାଇଁ ଚିନ୍ତାର କାରଣ ହୋଇଛି ବୋଲି ସେ କହିଥିଲେ । ଆମେ ଆମ ନିଜର ସମ୍ବଳ ବ୍ୟବହାର କରି ସାମଗ୍ରିକ ଭାବେ ସବୁ କ୍ଷେତ୍ରରେ ତଳଠୁ ଉପରମୁଣ୍ଡ ପର୍ଯ୍ୟନ୍ତ ସମସ୍ତଙ୍କ ସବୁବର୍ଗର ଯେପରି ବିକାଶ ହୋଇପାରିବ ସେ ଦିଗରେ ଭାରତ କାର୍ଯ୍ୟ କରୁଛି ବୋଲି ପ୍ରଫେସର ଦୀକ୍ଷିତ କହିଥିଲେ । ଏହି ସମ୍ମିଳନୀରେ ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟର ୩୦ରୁ ଊର୍ଦ୍ଧ୍ୱ କୁଳପତି, ଅବସରପ୍ରାପ୍ତ କୁଳପତି, ରାଜନୀତି ବିଜ୍ଞାନୀ, ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ, ଅଧ୍ୟାପକ, ଗବେଷକ ଓ ଛାତ୍ରଛାତ୍ରୀଙ୍କ ସମେତ ୩ହଜାରରୁ ଊର୍ଦ୍ଧ୍ୱ ପ୍ରତନିଧି ଯୋଗ ଦେଇଛନ୍ତି । ଏହି ଅବସରରେ ରାଜନୀତି ବିଜ୍ଞାନର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଓ ଭାରତୀୟ ରାଜନୀତି ବିଜ୍ଞାନ ସଂଘ ପ୍ରତି ଅବଦାନ ଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନୀତ କରାଯାଇଥିଲା ।