ନୂଆଦିଲ୍ଲୀ,୧୮/୬ : ଲଦାଖର ଗାଲୱାନ୍ ଉପତ୍ୟକାରେ ଚୀନ୍ ସୈନ୍ୟଙ୍କ ସହ ସଂଘର୍ଷରେ ୨୦ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ। ଯବାନଙ୍କ ବଳିଦାନ ପରେ ଚୀନ ସାମଗ୍ରୀକୁ ବର୍ଜନ କରିବାକୁ ଲୋକମାନଙ୍କ ମଧ୍ୟରେ ଦାବି ଜୋରଦାର ହୋଇଛି । ଯାହାଦ୍ବାରା ଭାରତରେ କାର୍ଯ୍ୟକରୁଥିବା ଚୀନ କମ୍ପାନିଗୁଡିକର ସ୍ଥିତି ଖରାପ ହେବାକୁ ଆରମ୍ଭ କରିଛି । ସରକାର ବର୍ତ୍ତମାନ ଏ ସମ୍ପର୍କରେ କଡ଼ା ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ସରକାରଙ୍କ ପକ୍ଷରୁ ଯଥାସମ୍ଭବ ଚୀନକୁ ବୈକଟ କରାଯାଉଛି। ଏହି କ୍ରମରେ, ଭାରତୀୟ ରେଳ ମନ୍ତ୍ରାଳୟ ଅଧିନସ୍ଥ ଡେଡିକେଟେଡ ଫ୍ରାଇଟ କରିଡର ଅଫ୍ ଇଣ୍ଡିଆ ( ଡିଏଫସିସିଆଇଏଲ) ପକ୍ଷରୁ ଚୀନ କମ୍ପାନି ବେଜିଂ ସିଗନାଲ ଏଣ୍ଡ କମ୍ୟୁନିକେସନ ଲିଃ ଅଧିନସ୍ଥ ନ୍ୟାସନାଲ ରେଲେଓ୍ଵ ରିସର୍ଚ୍ଚ ଏଣ୍ଡ ଡିଜାଇନକୁ ଦିଆଯାଇଥିବା ପ୍ରକଳ୍ପକୁ ରଦ୍ଦ କରିଦିଆଯାଇଛି ।କାର୍ଯ୍ୟରେ ବିଶେଷ ଅଗ୍ରଗତି ହେଉନଥିବାରୁ ଏହି ପ୍ରକଳ୍ପକୁ ରଦ୍ଦ କରାଗଲା ବୋଲି ଡିଏଫସିସିଆଇଏଲ ପକ୍ଷରୁ କୁହାଯାଇଛି । ୪୭୧ କୋଟିର ଏହି ପ୍ରକଳ୍ପ ୨୦୧୬ ମସିହାରେ ଚୀନ କମ୍ପାନିକୁ ଦିଆଯାଇଥିଲା । ପ୍ରକଳ୍ପଟି ୨୦୧୯ରେ ଶେଷ ହେବାକୁ ଥିଲେ ମଧ୍ୟ ଏପର୍ଯ୍ୟନ୍ତ ମାତ୍ର ୨୦ ପ୍ରତିଶତ କାମ ସମ୍ପୂର୍ଣ୍ଣ ହୋଇଛି । ଏଣୁ ଏହାକୁ ରଦ୍ଦ କରାଗଲା ବୋଲି ଡିଏଫସିସିଆଇଏଲ ପକ୍ଷରୁ କୁହାଯାଇଛି ।