କଟକ,୨୫/୧୧: କଟକ ଜିଲା ଚୌଦ୍ୱାର ନିକଟ ଇନ୍ଦ୍ରାଣିପାଟଣା ଶିଳ୍ପାଞ୍ଚଳରେ ଖୁବଶୀଘ୍ର ଭାରତର ସର୍ବବୃହତ ଇଞ୍ଜିନିୟରିଂ କ୍ଲଷ୍ଟର ସ୍ଥାପନ କରାଯିବ । ଭାରତ ସରକାରଙ୍କ ଏମଏସଏମଇ ବିଭାଗର ଏମଏସଇ-ସିଡିପି ଯୋଜନାରେ ଏହି କ୍ଲଷ୍ଟର ସ୍ଥାପିତ ହେବ । ଏଥିପାଇଁ ପ୍ରସ୍ତୁତ ଡିପିଆରକୁ ରାଜ୍ୟ ଓ କେନ୍ଦ୍ର ସରକାର ଅନୁମୋଦନ କରିସାରିଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ଏମଏସଏମଇ ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ମଙ୍ଗଳବାର ଦିନ ଭୁବନେଶ୍ୱରସ୍ଥିତ ରପ୍ତାନି ଭବନଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଉକ୍ତ କ୍ଲଷ୍ଟରର ସାମ୍ପ୍ରତିକ ସ୍ଥିତି ଏବଂ ସୁରୁଖୁରୁରେ କାର୍ଯ୍ୟକାରିତା ନିମନ୍ତେ ଭବିଷ୍ୟତ କୌଶଳ ଚୂଡାନ୍ତ କରିବା ସମ୍ପର୍କରେ ଏଥିରେ ଆଲୋଚନା କରାଯାଇଥିଲା । ବୈଠକ ପରେ ଶ୍ରୀ ସାହୁ ସୂଚନା ଦେଇ କହିଥିଲେ ଯେ ଇଡକୋ ଇତିମଧ୍ୟରେ ଏହି କ୍ଲଷ୍ଟରର କମନ ଫାସିଲିଟି ସେଣ୍ଟର ପାଇଁ ୬ ଏକର ଜମି ଯୋଗାଇ ଦେଇଛି । ପ୍ରସ୍ତାବିତ କ୍ଲଷ୍ଟର ନିମନ୍ତେ ୩୧.୮ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ସେଥିମଧ୍ୟରୁ କେନ୍ଦ୍ର୍ ସରକାର ୧୮ କୋଟି ଟଙ୍କା ଏବଂ ରାଜ୍ୟ ସରକାର ୭.୧୮ କୋଟି ଟଙ୍କା ଏମଏସଇ-ସିଡିପି ଯୋଜନା ଅଧୀନରେ ଅନୁଦାନମୂଳକ ସହାୟତା ଆକାରରେ ଯୋଗାଇଦେବେ । ଏଥିପାଇଁ ଏସପିଭି ସଦସ୍ୟମାନେ ୫.୩୧ କୋଟି ଟଙ୍କା ଯୋଗାଇବେ ।