ମୁମ୍ବାଇ, ୧୫/୧୦ : ପରଲୋକରେ ଭାରତୀୟ କଷ୍ଟ୍ୟୁମ୍ ଡିଜାଇନର୍ ଭାନୁ ଅଥୈୟା। ଦୀର୍ଘ ଦିନ ଅସୁସ୍ଥ ରହିବା ପରେ ଆଜି ଭାରତର ପ୍ରଥମ ଓସ୍କାର୍ ବିଜୟିନୀ ଭାନୁ ଅଥୈୟାଙ୍କର ନିଜ ଘରେ ଦେହାନ୍ତ ହୋଇଥିବା କଥା ତାଙ୍କ ଝିଅ କହିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିଲା।
ଭାନୁ ଅଥୈୟାଙ୍କ ଝିଅ ରାଧିକା ଗୁପ୍ତା କହିଛନ୍ତି, ‘ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଛି। ୮ ବର୍ଷ ପୂର୍ବରୁ ତାଙ୍କ ମସ୍ତିସ୍କରେ ଟ୍ୟୁମର ହୋଇଥିଲା।’ ତାଙ୍କ ଶରୀରର ଗୋଟିଏ ପାର୍ଶ୍ବ ପକ୍ଷାଘାତରେ ଆକ୍ରାନ୍ତ ହୋଇଥିବା କାରଣରୁ ଗତ ତିନି ବର୍ଷ ଧରି ସେ ଶଯ୍ୟାଶାୟୀ ଥିଲେ।
ଇଂରାଜୀ ଚଳଚ୍ଚିତ୍ର ‘ଗାନ୍ଧୀ’ରେ କାର୍ଯ୍ୟ ଲାଗି ୧୯୮୩ରେ ଓସ୍କାର୍ ସମ୍ମାନ ପାଇଥିବା ଅଥୈୟାଙ୍କର ଶେଷକୃତ୍ୟ ଦକ୍ଷିଣ ମୁମ୍ବାଇର ଚନ୍ଦନବାଡ଼ି ଶ୍ମଶାନରେ ସମାପନ କରାଯାଇଛି । କୋହ୍ଲାପୁରରେ ଜନ୍ମିତା ଅଥୈୟା ୧୯୫୬ ମସିହାରେ ଗୁରୁଦତ୍ତଙ୍କ ସୁପର ହିଟ୍ ଚଳଚ୍ଚିତ୍ର ‘ସି.ଆଇ.ଡି’ରେ କଷ୍ଟ୍ୟୁମ୍ ଡିଜାଇନର୍ ଭାବେ କ୍ୟାରିୟର୍ ଆରମ୍ଭ କରିଥିଲେ। ରିଚାର୍ଡ ଆଟେନ୍ବରୋଙ୍କ ‘ଗାନ୍ଧୀ’ ଚଳଚ୍ଚିତ୍ରରେ ସର୍ବୋତ୍ତମ କଷ୍ଟ୍ୟୁମ୍ ଡିଜାଇନ୍ ନିମନ୍ତେ ଜନ୍ ମଲୋଙ୍କ ସହ ତାଙ୍କୁ ଏହି ଏକାଡେମି ଆୱାର୍ଡ (ଓସ୍କାର୍ ପୁରସ୍କାର) ପ୍ରଦାନ କରାଯାଇଥିଲା। ନିରାପଦରେ ରଖାଯିବା ନିମନ୍ତେ ୨୦୧୨ରେ ଅଥୈୟା ତାଙ୍କ ‘ଓସ୍କାର୍’ ଟ୍ରଫିଟିକୁ ‘ଏକାଡେମି ଅଫ୍ ମୋସନ୍ ପିକ୍ଚର୍ ଆର୍ଟସ୍ ଆଣ୍ଡ୍ ସାଇନ୍ସେସ୍’କୁ ଫେରାଇ ଦେଇଥିଲେ।
ଦୀର୍ଘ ପାଞ୍ଚ ଦଶନ୍ଧିର କ୍ୟାରିୟର୍ରେ ଶତାଧିକ ଚଳଚ୍ଚିତ୍ରରେ କାର୍ଯ୍ୟ କରି ସେ ଦୁଇଟି ଜାତୀୟ ପୁରସ୍କାର ହାସଲ କରିଥିଲେ। ସେଥିରୁ ଗୋଟିଏ ହେଉଛି- ଗୁଲ୍ଜାର୍ଙ୍କର ରହସ୍ୟମୟ ଡ୍ରାମା ‘ଲେକିନ୍’ (୧୯୯୦) ଏବଂ ଆଶୁତୋଷ ଗୋୱାରିକର୍ଙ୍କ ନିର୍ଦେଶିତ ଐତିହାସିକ ଚଳଚ୍ଚିତ୍ର ‘ଲଗାନ୍’।