ନୂଆଦିଲ୍ଲୀ, ୦୪/୧୨ : ଇଣ୍ଡିଗୋରେ କର୍ମଚାରୀ ଅଭାବ। ଫେଲ୍ ମାରିଲା ପଞ୍ଚୁଆଲିଟି ସର୍ଭିସ୍ । କ୍ରିୟୁ ସଦସ୍ୟଙ୍କ ଅଭାବ ଯୋଗୁ ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ, ବେଙ୍ଗାଳୁରୁ ଭଳି ବଡ଼ ବଡ଼ ବିମାନ ବନ୍ଦରରେ ୨୦୦ ରୁ ଅଧିକ ବିମାନ ଚଳାଚଳ ରଦ୍ଦ ହୋଇଛି । ଏଥିଯୋଗୁ ବିଭିନ୍ନ ବିମାନ ବନ୍ଦରରେ ଯାତ୍ରୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପରିଲକ୍ଷିତ ହୋଇଛି । ଏପରିକି ଇଣ୍ଡିଗୋ କର୍ମଚାରୀଙ୍କ ସହ ଭୀଷଣ ବଚସା କରିଛନ୍ତି ଯାତ୍ରୀ । କର୍ମଚାରୀ ଅଭାବ ଯୋଗୁ ଆଜି ଓ ଗତକାଲି କେବଳ ୩୫ ପ୍ରତିଶତ ବିମାନ ଉଡ଼ାଣ ଭରିବାରେ ସକ୍ଷମ ହୋଇଛି । ବିଶେଷ କରି ପାଇଲଟ ଅଭାବ ମୁଖ୍ୟ ସମସ୍ୟା ପାଲଟିଛି । ଫ୍ଲାଇଟ୍ ଡ୍ୟୁଟି ଟାଇମ ଲିମିଟେସନ୍- FDTL ଭଳି ନୂଆ ନିୟମ ଯୋଗୁ ଇଣ୍ଡିଗୋ ଏହି ସମସ୍ୟାର ସମ୍ମୁଖୀନ ହୋଇଥିବା ଜଣାପଡ଼ିଛି । ସେହିପରି ଆଉ କେତେକ ବିମାନରେ ଆଦୌ କ୍ୟାବିନ୍ କ୍ରିୟୁ ନଥିବା ଯୋଗୁ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଅଭାବ ଥିବା ବିମାନକୁ କ୍ରିୟୁ ସଦସ୍ୟଙ୍କୁ ସମାନ ଭାବରେ ବାଣ୍ଟି ଦିଆଯିବାରୁ ଏକାଧିକ ବିମାନ ବନ୍ଦରରେ ଇଣ୍ଡିଗୋ ବିମାନ ସେବା ଚଳାଚଳ ଏକ ପ୍ରକାର ଠପ ହୋଇଛି । ତେବେ କେବଳ କର୍ମଚାରୀ ଅଭାବ ନୁହେଁ ବୈଷୟିକ ତ୍ରୁଟି ଓ ଅନ୍ୟାନ୍ୟ କାରଣ ଯୋଗୁ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ସୂଚନା ଇଣ୍ଡିଗୋର ଜଣେ ବରିଷ୍ଠ ଅଧିକାରୀ ଦେଇଛନ୍ତି । ପରିସ୍ଥିତିକୁ ସ୍ବାଭାବିକ କରିବା ପାଇଁ କମ୍ପାନୀ କର୍ତ୍ତୃପକ୍ଷ ଉଦ୍ୟମ ଜାରି ରଖିଥିବା କହିଛନ୍ତି ।