ଆଇଏନଏସ ବିକ୍ରାନ୍ତର ଟ୍ରାଏଲ ଆରମ୍ଭ, ୨୦୨୩ ସୁଦ୍ଧା ନୌସେନାରେ ସାମିଲ ହେବ

ନୂଆଦିଲ୍ଲୀ, ୨୦/୮ : ୨୦୨୩ ସୁଦ୍ଧା ଭାରତର ପ୍ରଥମ ସ୍ଵଦେଶୀ ଏୟାରକ୍ରାଫ୍ଟ କ୍ୟାରିୟର ଆଇଏନଏସ ବିକ୍ରାନ୍ତ ନୌସେନାରେ ସାମିଲ ହେବାର ସମ୍ଭାବନା ରହିଛି। ନୌସେନା ସୂତ୍ରରୁ ଏହି ସୂଚନା ମିଳିଛି। ଖୁବ ଶୀଘ୍ର ବିକ୍ରାନ୍ତ ସମୁଦ୍ରରେ ଅବତରଣ କରିବ। ଆଇଏନଏସ ବିକ୍ରାନ୍ତର ହାର୍ବର ଟ୍ରାଏଲ ପୂରା ହୋଇ ସାରିଛି ଏବଂ ବେସିନ ଟ୍ରାଏଲ ସେପ୍ଟେମ୍ବରରେ ଆରମ୍ଭ ହେବାର ସମ୍ଭାବନା ରହିଛି। ବେସିନ ଟ୍ରାଏଲ ପରେ ଆଇଏନଏସ ବିକ୍ରାନ୍ତର ସି ଟ୍ରାଏଲ ଆରମ୍ଭ ହେବ।

୨୬୨ ମିଟର ଲମ୍ବା ଆଇଏନଏସ ବିକ୍ରାନ୍ତର ନିର୍ମାଣ ୨୦୦୯ ଫେବୃଆରୀରେ କୋଚିନ ସିପୟାର୍ଡରେ ଆରମ୍ଭ ହୋଇଥିଲା। ଏଥିରେ ୨୬ ଲଢୁଆ ଏୟାରକ୍ରାଫ୍ଟ ଓ ୧୦ ହେଲିକପ୍ଟର ରଖାଯାଇପାରିବ। ନୌସେନା ବର୍ତ୍ତମାନ ମିଗ୍-୨୯କୁ ଏହି କ୍ୟାରିୟର ପାଇଁ ଚୟନ କରି ସାରିଛି। ଏହା ବ୍ୟତୀତ କେ-୩୧, ଓ୍ଵେଷ୍ଟଲାଣ୍ଡ ସି କିଙ୍ଗ ଓ ସ୍ଵଦେଶୀ ଆଡଭାନ୍ସ ଲାଇଟ୍ ହେଲିକପ୍ଟର ଧ୍ରୁବ ମଧ୍ୟ ଏହି କ୍ୟାରିୟରରେ ମୁତୟନ କରାଯାଇ ପାରିବ।

ସୂତ୍ର ଅନୁଯାୟୀ ଆଇଏନଏସ ବିକ୍ରାନ୍ତର ହାର୍ବର ଟ୍ରାଏଲ ପୂରା ହୋଇ ସାରିଛି। ମାତ୍ର କୋଭିଡ୍-୧୯ କାରଣରୁ ବେସିନ ଟ୍ରାଏଲରେ ବିଳମ୍ବ ଘଟିଛି। ବେସିନ ଟ୍ରାଏଲ୍ସରେ ଜାହାଜରେ ଲାଗି ଥିବା ସମସ୍ତ ସିଷ୍ଟମର ଅନ୍ତିମ ପରୀକ୍ଷଣ କରାଯାଇ ଏହାର ଯାଞ୍ଚ କରାଯିବ ଯେ ଏହାକୁ ସମୁଦ୍ରରେ ଅବତରଣ କରାଯାଇ ପାରିବ ନା ନାହିଁ। ଏହି ପରୀକ୍ଷଣ ସିଷ୍ଟମ ଓ ନିର୍ମାତାଙ୍କ ଉପସ୍ଥିତିରେ କରାଯାଏ। କୋଭିଡ୍ କାରଣରୁ ଏହି ପରୀକ୍ଷଣରେ ନିର୍ମାତା ଉପସ୍ଥିତ ହୋଇ ପାରୁ ନାହାନ୍ତି।

ଭାରତୀୟ ନୌସେନା ଆଇଏନଏସ ବିକ୍ରାନ୍ତକୁ ପୂର୍ବ ସମୁଦ୍ର କୂଳରେ ବିଶାଖାପାଟଣାରେ ମୁତୟନ କରିବାକୁ ଚାହୁଁଛି। ରୁଷରୁ କିଣା ଯାଇଥିବା ଏୟାରକ୍ରାଫ୍ଟ ବାହକ ଆଇଏନଏସ ବିକ୍ରମାଦିତ୍ୟ ପଶ୍ଚିମି ସମୁଦ୍ର କୂଳରେ ମୁତୟନ ଅଛି। ଭାରତ ଦୀର୍ଘ ସମୟରୁ ତିନି କ୍ୟାରିୟର ବ୍ୟାଟେଲ ଗ୍ରୁପ ସହିତ ସମୁଦ୍ର ସୁରକ୍ଷା କରିବାକୁ ଚାହୁଁଛି। କ୍ୟାରିୟର ବ୍ୟାଟେଲ ଗ୍ରୁପରେ ଏୟାରକ୍ରାଫ୍ଟ ବାହାକ ସହିତ ଅନେକ ଲଢୁଆ ଜାହାଜ, ହେଲିକପ୍ଟର ଓ ବୁଡାଜାହାଜର ଏକ ବଡ ଟିମ୍ ରହିଥାଏ।