ଆଇପିଏଲ-୨୦୨୦ : ଆଜି ରୋହିତ ଓ ବିରାଟଙ୍କ ମଧ୍ୟରେ ଟକ୍କର

ଦୁବାଇ, ୨୮/୯ : ଆଇପିଏଲର ୧୦ମ ମ୍ୟାଚରେ ସୋମବାର ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଏହି ହାଇଭୋଲଟେଜ୍ ମୁକାବିଲାରେ ଆଜି ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ମଧ୍ୟରେ ଟକ୍କର ହେବ । ଉଭୟ ଦଳ ପୂର୍ବରୁ ୨ଟି ମ୍ୟାଚରୁ ଗୋଟିଏ ଲେଖାଏଁ ଜିତିଛନ୍ତି । କିନ୍ତୁ ନେଟ୍ ରନରେଟରେ ମୁମ୍ବାଇ ବାଙ୍ଗାଲୋରଠୁ ଆଗରେ ରହିଛି ।

ଆରସିବି ଟୁର୍ଣ୍ଣାମେଣ୍ଟକୁ ବିଜୟ ସହ ଆରମ୍ଭ କରିଥିଲା । କିନ୍ତୁ କିଙ୍ଗସ୍ ଏକାଦଶ ପଞ୍ଜାବ ବିପକ୍ଷରେ ଆରସିବିର ବ୍ୟାଟିଂ ଫେଲ୍ ମାରିଥିଲା । ଦଳକୁ ୯୭ ରନ୍‌ରେ ପରାସ୍ତ ହେବାକୁ ପଡିଥିଲା । ଅଧିନାୟକ କୋହଲି ମାତ୍ର ୧ ରନ୍ କରି ଆଉଟ ହୋଇଥିଲେ ।

ଚଳିତ ଟୁର୍ଣ୍ଣାମେଣ୍ଟର ପ୍ରଥମ ମୁକାବିଲାରେ ଆରସିବିର ଦେବଦତ୍ତ ପାଡିକଲ୍ ଆକର୍ଷଣୀୟ ଅର୍ଧଶତକ ହାସଲ କରିଥିଲେ । କିନ୍ତୁ ପଞ୍ଜାବ ବିପକ୍ଷରେ ତାଙ୍କର କରିସ୍ମା ଦେଖିବାକୁ ମିଳିନଥିଲା । ତେବେ ଆରୋନ ପିଞ୍ଚ୍, ଏବି ଡିଭିଲର୍ସ ଓ ବିରାଟ କୋହଲି ଭଲ ଖେଳିଲେ ଦଳ ବିଜୟ ଲାଭ କରିବା ସହଜ ହେବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି ।

ତେବେ ମୁମ୍ବାଇ ଗତ ମ୍ୟାଚରେ ଆକର୍ଷଣୀୟ ପ୍ରତ୍ୟାବର୍ତ୍ତନ କରିଥିଲା । ପ୍ରଥମ ମ୍ୟାଚରେ ଚେନ୍ନାଇଠାରୁ ହାରିଥିଲେ ମଧ୍ୟ ମୁମ୍ବାଇ ଦ୍ୱିତୀୟ ମ୍ୟାଚରେ କୋଲକାତା ବିପକ୍ଷରେ ଭଲ ପ୍ରଦର୍ଶନ କରିଥିଲା । ରୋହିତ ଶର୍ମା ଓ ସୂର୍ଯ୍ୟକୁମାର ଆକର୍ଷଣୀୟ ପାଳି ଖେଳିଥିଲେ ।