ଆଇପିଏଲ ୨୦୨୦ : ଦିଲ୍ଲୀକୁ ଫାଇନାଲ ଟିକେଟ, ମ୍ୟାଚ ଜିତିବା ପରେ ଗେମ ପ୍ଲାନ କହିଲେ ଦିଲ୍ଲୀ ଅଧିନାୟକ
ନୂଆଦିଲ୍ଲୀ, ୯/୧୧ : ଦିଲ୍ଲୀ କ୍ୟାପିଟାଲ୍ସକୁ ଆଇପିଏଲ୍-୨୦୨୦ର ଫାଇନାଲ ଟିକେଟ ମିଳିଛି । ଗତକାଲି ଖେଳାଯାଇଥିବା ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚରେ ବିଜୟୀ ହୋଇ ଦିଲ୍ଲୀ ପ୍ରଥମଥର ଫାଇନାଲରେ ପ୍ରବେଶ କରିଛି। ଏହି ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୧୭ ରନରେ ପରାସ୍ତ କରିଛି ଦିଲ୍ଲୀ । ଟ୍ରଫି ପାଇଁ ମୁକାବିଲ ବର୍ତ୍ତମାନର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ସହ ନଭେମ୍ବର ୧୦ ତାରିଖ ମଙ୍ଗଳବାରରେ ଖେଳାଯିବ ।
ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଦିଲ୍ଲୀ ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲା । ଦଳ ପକ୍ଷରୁ ଶିଖର ଧାଓ୍ୱନ ଓ ଏମ ଷ୍ଟୋଇନ୍ସ ଭଲ ଆରମ୍ଭ ଦେଇଥିଲେ । ଉଭୟ ହାଇଦ୍ରାବାଦ ବୋଲରଙ୍କୁ ନିର୍ଦ୍ଧୁମ ପ୍ରହାର କରିଥିଲେ । ତେବେ ଷ୍ଟୋଇନ୍ସ ୩୮ ରନ୍ କରି ଆଉଟ ହୋଇଥିଲେ । କିନ୍ତୁ ଶିଖର ଧାଓ୍ୱନଙ୍କ ବ୍ୟାଟ୍ ଶାନ୍ତ ପଡି ନଥିଲା । ସେ କୌଣସି ହାଇଦ୍ରାବାଦ ବୋଲରଙ୍କୁ ଖାତିର କରିନଥିଲେ । ସେ ୭୮ ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରେୟସ ଆୟାର ୨୧ ରନ୍ କରିଥିବା ବେଳେ ସିମରନ୍ ହେଟମାୟାର ୪୨ ରନ୍ କରିଥିଲେ । ଫଳରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୩ ଓ୍ୱିକେଟ ହରାଇ ୧୮୯ ରନ୍ କରିଥିଲା ।ହାଇଦ୍ରାବାଦ ପକ୍ଷରୁ ରଶିଦ ଖାନ୍, ଜାସନ ହୋଲ୍ଡର ଓ ସନ୍ଦିପ ଶର୍ମା ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଥିଲେ ।
୧୯୦ ରନର ବିଜୟ ଲକ୍ଷ୍ୟର ପିଛା କରୁଥିବା ହାଇଦ୍ରାବାଦ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ଦଳ ୪୪ ରନରେ ତିନୋଟି ଓ୍ୱିକେଟ୍ ହରାଇ ସଙ୍କଟରେ ପଡିଥିଲା । ପ୍ରିୟମ ଗର୍ଗ, ଡେଭିଡ୍ ଓ୍ୱାର୍ଣ୍ଣର ଓ ମନୀଷ ପାଣ୍ଡେ ଯଥାକ୍ରମେ ୧୭,୨ ଓ ୨୧ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । କେବଳ କେନ୍ ଓ୍ୱିଲିୟମସନ୍ ଏକାକି ସଙ୍ଘର୍ଷ କରିଥିଲେ । ସେ ୬୭ ରନ୍ କରି ଆଉଟ୍ ହେବା ପରେ ଦଳର ବିଜୟ ଆଶା ମଉଳି ଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଜାସନ ହୋଲ୍ଡର ୧୭ ରନ୍ କରିଥିବା ବେଳେ ଅବ୍ଦୁଲ ସମାଦ ୩୩ ରନ୍ କରିଥିଲେ । ଫଳରେ ଦଳ ନିର୍ଧାରିତ ୨୦ ଓଭରରେ ୮ ଓ୍ୱିକେଟ୍ ହରାଇ ୧୭୨ ରନରେ ଅଟକି ଯାଇଥିଲା ।
ମ୍ୟାଚ ପରେ ପୁରସ୍କାର ବିତରଣ ସମାରୋହରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଶ୍ରେୟସ ଆୟର କହିଛନ୍ତି, ତାଙ୍କ ଟିମ ଲାଗି ବହୁତ ଖୁସିର ସମୟ ଆସିଛି । ଟିମ ଅନେକ ଉତଥାନ ଓ ପତ୍ତନ ଦେଇ ଗତି କରିଛି । ଆମେ ଗୋଟିଏ ପରିବାର ଭଳି ଖେଳୁଛୁ । ଜଣେ ଅଧିନାୟକ ଭାବେ ଅନେକ ଦାୟିତ୍ୱ ତୁଲାଇବାକୁ ପଡ଼ିଥାଏ ।
ଆୟର କହିଛନ୍ତି, ଜଣେ ବ୍ୟାଟ୍ସମ୍ୟାନ ଭାବେ ଆପଣଙ୍କୁ ନିରନ୍ତରତା ଜାରି ରଖିବାକୁ ହୋଇଥାଏ । କିନ୍ତୁ ମୁଁ ଭାବୁଛି, ମୋର ସହଯୋଗୀ ଖେଳାଳିମାନେ ବହୁତ ସମର୍ଥନ କରିଛନ୍ତି । ଭାଗ୍ୟଶାଳୀ ହୋଇପାରିଛି ଯେ, ଏତେ ଭଲ ଟିମ ମିଳିଛି । ଆସନ୍ତା ମ୍ୟାଚରେ ମଧ୍ୟ ଆମେ ପୂର୍ଣ୍ଣ ସ୍ୱାଧୀନତାର ସହିତ ପଡ଼ିଆକୁ ଓହ୍ଲାଇବୁ ବୋଲି କହିଛନ୍ତି ଆୟର ।