ଦୁବାଇ, ୧୦/୧୧ : ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ୍)-୨୦୨୦ର ଫାଇନାଲ ମ୍ୟାଚରେ ଆଜି ୪ ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ ହେବେ । ଭାରତୀୟ ସମୟ ରାତି ସାଢ଼େ ୭ଟାରେ ଏହି ମ୍ୟାଚ ଦୁବାଇରେ ଖେଳାଯିବ । ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମ ଥର ପାଇଁ ଫାଇନାଲ ମ୍ୟାଚ ଖେଳିବ । ରବିବାର ଖେଳାଯାଇଥିବା କ୍ୱାଲିଫାୟର-୨ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ୍କୁ ୧୭ ରନ୍ରେ ପରାସ୍ତ କରି ଦଳର ମନୋବଳ ଉଚ୍ଚ ରହିଥିବାବେଳେ ଟ୍ରଫି ହାତେଇବା ପାଇଁ ମୁମ୍ବାଇ ଇଣ୍ଡିଆନ୍ସକୁ ମୁକାବିଲା କରିବାକୁ ଦିଲ୍ଲୀ ରଣନୀତି ପ୍ରସ୍ତୁତ କରିସାରିଛି । ସେହିପରି ରୋହିତ ଶର୍ମା ମଧ୍ୟ ନିଜର ମୁମ୍ବାଇ ଇଣ୍ଡିଆନ୍ସକୁ ବିଜୟୀ କରି ୫ମ ଥର ପୁଣି ଥରେ ଇତିହାସ ରଚିବା ଲକ୍ଷ୍ୟ ରଖିଛନ୍ତି ।
କ୍ୱାଲିଫାୟର-୨ ମ୍ୟାଚ ପରେ ଦିଲ୍ଲୀ କ୍ୟାପଟେନ ଆୟର କହିଥିଲେ, ଜଣେ ବ୍ୟାଟ୍ସମ୍ୟାନ ଭାବେ ଆପଣଙ୍କୁ ନିରନ୍ତରତା ଜାରି ରଖିବାକୁ ହୋଇଥାଏ । କିନ୍ତୁ ମୁଁ ଭାବୁଛି, ମୋର ସହଯୋଗୀ ଖେଳାଳିମାନେ ବହୁତ ସମର୍ଥନ କରିଛନ୍ତି । ଭାଗ୍ୟଶାଳୀ ହୋଇପାରିଛି ଯେ, ଏତେ ଭଲ ଟିମ ମିଳିଛି । ଆସନ୍ତା ମ୍ୟାଚରେ ମଧ୍ୟ ଆମେ ପୂର୍ଣ୍ଣ ସ୍ୱାଧୀନତାର ସହିତ ପଡ଼ିଆକୁ ଓହ୍ଲାଇବୁ ।