ଆବୁଧାବି,୨୩ /୯ : ଆଇପିଏଲ୍ର ୫ମ ମ୍ୟାଚରେ ଆଜି କଲକାତା ନାଇଟ୍ ରାଇଡର୍ସ ଦଳର ମୁକାବିଲା ମୁମ୍ବଇ ଇଣ୍ଡିଆନ୍ସ ସହ ହେବ। ଚଳିତ ସଂସ୍କରଣରେ କଲକାତା ଦଳ ନିଜର ପ୍ରଥମ ମ୍ୟାଚ୍ ଖେଳିବାକୁ ଥିବା ବେଳେ ମୁମ୍ବଇ ଇଣ୍ଡିଆନ୍ ଦଳ ଉଦ୍ଘାଟନୀ ମ୍ୟାଚ୍ରେ ଚେନ୍ନଇ ସୁପର କିଙ୍ଗ୍ସ ଦଳ ଠାରୁ ପରାସ୍ତ ହୋଇଥିଲା।
କଲକାତା ଦଳ ପ୍ରଥମ ମ୍ୟାଚ୍ ଜିତି ନିଜ ଅଭିଯାନ ଆରମ୍ଭ କରିବାକୁ ଆଶା ରଖିଥିବା ବେଳେ ପ୍ରଥମ ମ୍ୟାଚ୍ରେ ହାରିଥିବା ମୁମ୍ବଇ ଦଳ ନିଜ ଦ୍ବିତୀୟ ମ୍ୟାଚ୍ ଜିତି ପଏଣ୍ଟ ଟେବୁଲରେ ଖାତା ଖୋଲିବାକୁ ଚାହିଁବ। କଲକାତା ଦଳର ନେତୃତ୍ବ ନେଉଛନ୍ତି ଦିନେଶ କାର୍ତ୍ତିକ। ଏହି ଦଳରେ ରହିଛନ୍ତି ଦ୍ରୁତ ବୋଲର ପ୍ୟାଟ୍ କମିନ୍ସ। ଗତ ଆଇପିଏଲ୍ ଖେଳାଳି ନିଲାମରେ କମିନ୍ସଙ୍କୁ ସବୁଠାରୁ ଅଧିକ ଅର୍ଥରେ କଲକାତା ଦଳ କିଣିଥିବାରୁ ତାଙ୍କ ଠାରୁ ମ୍ୟାଚ୍ ବିଜୟୀ ପ୍ରଦର୍ଶନର ଆଶା ରଖିଛି। ସେହିପରି ଦଳରେ ଲୋକି ଫର୍ଗୁସନ୍ଙ୍କ ପରି ଦ୍ରୁତ ବୋଲର ଅଛନ୍ତି। ସ୍ପିନର ଭାବେ ଦଳରେ ରହିଛନ୍ତି ସୁନୀଲ ନାରାୟଣ ଓ କୁଲଦୀପ ଯାଦବ। ଏହି ଦଳରେ ଭାରତୀୟ ଯୁବ ବ୍ୟାଟସମ୍ୟାନ୍ ଶୁବମାନ୍ ଗିଲ୍ ରହିଛନ୍ତି। ଶୁବମାନ୍ ଦଳ ତରଫରୁ ବ୍ୟାଟିଂ ଓପନ୍ କରିବା ନିଶ୍ଚିତ ଥିବା ବେଳେ ସେ କିପରି ପ୍ରଦର୍ଶନ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି। ଅନ୍ୟପକ୍ଷରେ ମୁମ୍ବଇ ଦଳ ପ୍ରଥମ ମ୍ୟାଚ୍ରେ ହାରିଥିବାରୁ ଦ୍ବିତୀୟ ମ୍ୟାଚ୍ରେ ଏହି ଦଳର ଖେଳାଳିମାନେ ନିଜ ପ୍ରଦର୍ଶନରେ ନିଶ୍ଚିତ ଭାବେ ଉନ୍ନତି ଆଣିବାକୁ ଚାହିଁବେ। ବିଶେଷ କରି ଅଧିନାୟକ ରୋହିତ ଶର୍ମା, ହାର୍ଦିକ ଓ କ୍ରୁନାଲ୍ ପାଣ୍ଡ୍ୟାଙ୍କୁ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। ଦଳର ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ ଓ ବୁମରାଙ୍କ ଠାରୁ ମଧ୍ୟ ଦଳ ଅଧିକ ପ୍ରଭାବୀ ପ୍ରଦର୍ଶନର ଆଶା ରଖିଥିବ।