ଘୋଷଣା ହେଲା ଆଇପିଏଲ କାର୍ଯ୍ୟସୂଚୀ, ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍

ନୂଆଦିଲ୍ଲୀ : କରୋନା କାରଣରୁ ସ୍ଥଗିତ ରହିଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ୧୩ତମ ସଂସ୍କରଣର କାର୍ଯ୍ୟସୂଚୀ ଘୋଷଣା ହୋଇଛି। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ଅନୁଯାୟୀ ଟୂର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍‌ ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ସେପ୍ଟେମ୍ବର ୧୯ରେ ଆବୁଧାବିରେ ଖେଳାଯିବ। ଏହା ସହିତ କ୍ରୀଡାସୂଚୀକୁ ନେଇ ଅପେକ୍ଷାର ଘଡି ସମାପ୍ତ ହୋଇଛି। ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ମହେନ୍ଦ୍ର ସିଂହ ଧୋନୀଙ୍କ ତିନି ଥରର ଆଇପିଏଲ ବିଜେତା ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍ ଖେଳାଯିବ।

ଟୂର୍ଣ୍ଣାମେଣ୍ଟର କାର୍ଯ୍ୟସୂଚୀ ପୂର୍ବରୁ ଘୋଷିତ ହେବାର ଥିଲା, କିନ୍ତୁ ଚେନ୍ନାଇ ସୁପର କିଙ୍ଗ୍ସର ଦୁଇ ଖେଳାଳି କରୋନା ସଂକ୍ରମିତ ହୋଇଥିଲେ। ଏବେ ଚେନ୍ନାଇର ଖେଳାଳିଙ୍କ ରିପୋର୍ଟ ନେଗେଟିଭ୍ ଆସିଛି। ଏବେ ଦଳ ଅଭ୍ୟାସ୍‌ ମଧ୍ୟ ଆରମ୍ଭ କରି ଦେଇଛି। ଉଭୟ ଦଳ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍‌ ସେପ୍ଟେମ୍ବର ୧୯ ଭାରତୀୟ ସମୟ ସନ୍ଧ୍ୟା ୭ଟା ୩୦ରେ ଆରମ୍ଭ ହେବ।

୧୩ ତମ ସଂସ୍କରଣ ୫୩ ଦିନ ଧରି ଖେଳାଯିବ। ଏହାର ଫାଇନାଲ ମ୍ୟାଚ୍‌ ନଭେମ୍ବର ୧୦ରେ ଖେଳାଯିବ। ଏଥିରେ ୧୦ ଡବଲ ହେଡର ଅର୍ଥାତ ଦିନରେ ଦୁଇଟି ମ୍ୟାଚ୍‌ ଖେଳାଯିବ। ଆଇପିଏଲର ଆୟୋଜନ ୟୁଏଇର ତିନି ଜାଗା ଆବୁଧାବି, ଦୁବାଇ ଓ ଶାରଜାହାରେ ହେବ। ଭାରତୀୟ ସମୟ ସନ୍ଧ୍ୟା ୭ଟା ୩୦ରେ ଦ୍ଵିତୀୟ ମ୍ୟାଚ୍ ଖେଳାଯିବ। ପ୍ରଥମ ମ୍ୟାଚ୍ ଅପରାହ୍ନ ୩ଟା ୩୦ରେ ଖେଳାଯିବ। ଦୁବାଇରେ ୨୪ ମ୍ୟାଚ୍, ଆବୁଧାବିରେ ୨୦ ଏବଂ ଶାରଜାହାରେ ୨୦ଟି ମ୍ୟାଚ୍ ଖେଳାଯିବ। ଫାଇନାଲ ମ୍ୟାଚ୍‌ର ଭେନ୍ୟୁ ପରେ ଘୋଷଣା କରାଯିବ।