IPL-2022 : ଆଜି ମୁମ୍ବାଇ-କୋଲକାତା କଡା ମୁକାବିଲା

ମୁମ୍ବାଇ, ୬/୪ : ଚଳିତ ଆଇପିଏଲ୍‌ର ୧୪ତମ ଲିଗ୍‌ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ ରାଇଡର୍ସ । ଏହି ମ୍ୟାଚ୍‌କୁ ନେଇ ଉଭୟ ଦଳ ଜୋରଦାର ପ୍ରସ୍ତୁତି କରିଛନ୍ତି । ପ୍ରଥମ ୨ଟି ମ୍ୟାଚ୍‌ରେ ପରାଜିତ ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସ ପଏଣ୍ଟ ଖାତା ଖୋଲିବାକୁ ବ୍ୟାକୁଳ । ହେଲେ ବୋଲିଂ ବିଭାଗକୁ ନେଇ ଦଳର ଚିନ୍ତା ବଢି ଚାଲିଛି । ଏକ ସୁଦୃଢ ବୋଲିଂ ବିଭାଗ ପ୍ରସ୍ତୁତ କରିବାରେ ମୁମ୍ବାଇ ଇଣ୍ଡିଆନ୍ସ ବିଫଳ ହୋଇଛି । ଜଶପ୍ରୀତ ବୁମରାଙ୍କୁ ସହାୟତା କରିବା ଭଳି ବୋଲର ଏ ପର୍ଯ୍ୟନ୍ତ ଦଳକୁ ମିଳିନାହିଁ । ତିମାଲ ମିଲ୍ସ, ଟିମ୍‌ ଡେଭିଡ୍‌, ଡାନିଏଲ୍‌ ସାମ୍ସ ଏପର୍ଯ୍ୟନ୍ତ ଲୟ ଫେରି ପାଇ ନାହାନ୍ତି ।

ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଦ୍ୱିତୀୟ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଠାରୁ ପରାଜିତ ହୋଇଥିଲା । ପ୍ରଥମ ମ୍ୟାଚ୍‌ରେ ଡେଥ୍‌ ବୋଲିଂରେ ତ୍ରୁଟି ଯୋଗୁଁ ମୁମ୍ବାଇ ଇଣ୍ଡିଆନ୍ସ ବିଜୟ ହାତଛଡ଼ା କରିଥିଲା । ଦ୍ୱିତୀୟ ମ୍ୟାଚ୍‌ରେ ଇଶାନ କିଷନ ଓ ତିଳକ ବର୍ମା ଅର୍ଦ୍ଧଶତକ ଅର୍ଜନ କରି ବିଜୟ ଆଶା ସଂଚାର କରିଥିଲେ । ଶେଷ ୬ ଓଭରରେ ଦଳ ବିଜୟ ପାଇଁ ୬୫ ରନ୍‌ ଆବଶ୍ୟକ କରୁଥିଲା । କିଷନ ଓ ତିଳକ ଆଉଟ୍‌ ହେବା ପରେ ମୁମ୍ବାଇ ଇଣ୍ଡିଆନ୍ସ ଧରାଶାୟୀ ହୋଇଥିଲା । ନାଇଟ୍‌ ରାଇଡର୍ସକୁ ହରାଇବାକୁ ହେଲେ ମୁମ୍ବାଇଚଇଣ୍ଡିଆନ୍ସକୁ ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗରେ ଉନ୍ନତି ଆଣିବାକୁ ହେବ । ନାଇଟ୍‌ ରାଇଡର୍ସ ଇତି ମଧ୍ୟରେ ୩ଟି ମ୍ୟାଚ୍‌ରୁ ୨ଟିରେ ବିଜୟୀ ହୋଇ ସାରିଛି । ଦଳର ମନୋବଳ ଶିଖର ଛୁଇଁଛି ।