ମୁମ୍ବାଇ,୯/୪: ଆଇପିଏଲ୍ର ୧୮ତମ ଲିଗ୍ ମ୍ୟାଚ୍ରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ହ୍ୟାଟ୍ରିକ୍ ପରାଜୟ ସହ ଚାପରେ ଥିବା ମୁମ୍ବାଇ ଇଣ୍ଡିଆନ୍ସ ଏହି ମ୍ୟାଚ୍ ଜରିଆରେ ଖାତା ଖୋଲିବାକୁ ଲକ୍ଷ୍ୟ ରଖିଛି । ଅନ୍ୟ ପଟରେ ରୟାଲ୍ ଚ୍ୟାଲେଞ୍ଜର୍ସ ବିଜୟଧାରା ଅବ୍ୟାହତ ରଖିବା ନେଇ ରଣନୀତି ପ୍ରସ୍ତୁତ କରିଛି । ଆଜି ରାତି ୭.୩୦ରୁ ମ୍ୟାଚ୍ ଆରମ୍ଭ ହେବ ।
ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଚଳିତ ସିଜନ ନୈରାଶ୍ୟଜନକ ରହିଛି । ଦଳ ପ୍ରଥମ ୩ଟି ମ୍ୟାଚ୍ରେ ଯଥାକ୍ରମେ ଦିଲ୍ଲୀ କ୍ୟାପିଟାଲ୍ସ, ରାଜସ୍ଥାନ ରୟାଲ୍ସ ଓ କୋଲକାତା ନାଇଟ୍ ରାଇଡର୍ସଠୁ ପରାଜିତ ହୋଇଛି । ଏହାକୁ ନେଇ ଅଧିନାୟକ ରୋହିତ ଶର୍ମା ଚାପରେ ରହିଛନ୍ତି । ରୟାଲ୍ ଚ୍ୟାଲେଞ୍ଜର୍ସ ମ୍ୟାଚ୍ ପୂର୍ବରୁ ରୋହିତ ଦଳୀୟ ଖେଳାଳିଙ୍କୁ ଦକ୍ଷତା ମୁତାବକ ପ୍ରଦର୍ଶନ ଦେବାକୁ ଆହ୍ୱାନ ଦେଇଛନ୍ତି । ସୂର୍ଯ୍ୟକୁମାର ଯାଦବଙ୍କ ପ୍ରତ୍ୟାବର୍ତ୍ତନ ପରେ ବ୍ୟାଟିଂ ବିଭାଗ ସୁଦୃଢ଼ ହୋଇଥିଲେ ହେଁ ଏପର୍ଯ୍ୟନ୍ତ ବୋଲିଂ ବିଭାଗର ସମସ୍ୟା ଦୂର ହୋଇନି । ଷ୍ଟାର୍ ବୋଲର ଯଶପ୍ରୀତ ବୁମ୍ରା ଓ ସ୍ପିନର ମୁରୁଗାନ ଅଶ୍ୱିନଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତ ବୋଲର ନିରାଶ କରିଛନ୍ତି । ଡାନିଲ୍ ସାମ୍ସଙ୍କ ସ୍ଥାନରେ ଫାବିଆନ୍ ଆଲେନ୍ ଏବଂ ବାସିଲ ଥାମ୍ପିଙ୍କ ସ୍ଥାନରେ ଜୟଦେବ ଉନାକାତଙ୍କୁ ସୁଯୋଗ ମିଳିବା ଆଶା କରାଯାଉଛି ।