ଆସନ୍ତାବର୍ଷ ଆଇପିଏଲ ଧମାକାଦାର ହେବ ହେବ : ପ୍ରବେଶ କରିବେ ୨ଟି ନୂଆ ଦଳ

ନୂଆଦିଲ୍ଲୀ,୩୧/୮: ଆଇପିଏଲ ୨୦୨୨ର ପୂର୍ବ ଅପେକ୍ଷା ଅଧିକ ଧମାକାଦାର ହେବାକୁ ଯାଉଛି। କାରଣ ଆସନ୍ତା ବର୍ଷ ଏହି ଲିଗରେ ୨ଟି ନୂଆ ଦଳ ପ୍ରବେଶ କରିବେ । ରିପୋର୍ଟ ଅନୁଯାୟୀ, ବିସିସିଆଇ ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରିଛି ଏବଂ ବର୍ତ୍ତମାନ ଆୟ ବଢାଇବାକୁ ଚାହୁଁଛି । ଆଇପିଏଲ୍ ୨୦୨୨ ପୂର୍ବରୁ ବିସିସିଆଇ ନୂତନ ଦଳ ପାଇଁ ୨୦୦୦ କୋଟି ମୂଲ୍ୟର ବେସ ପ୍ରାଇସ ନିର୍ଦ୍ଧାରଣ କରିଛି ।

ବୋର୍ଡ ଆଶା କରୁଛି ଯେ ବିଡିଂ ଶେଷ ହେବାବେଳକୁ ଏହି ମୂଲ୍ୟ ୫୦୦୦ କୋଟିରେ ପହଞ୍ଚିବ। ଯଦିଓ ପୂର୍ବରୁ ନୂତନ ଦଳର ବେସ ପ୍ରାଇସ ୧୭୦୦ କୋଟି ରଖାଯାଇଥିଲା, କିନ୍ତୁ ଏହାକୁ ବୃଦ୍ଧି କରାଯାଇଛି | ସେହିପରି ନିଲାମରେ ଅଂଶଗ୍ରହଣ କରୁଥିବା ଦଳକୁ ୭୫ କୋଟି ଟଙ୍କା ମୂଲ୍ୟର ବିଡ୍ ଡକ୍ୟୁମେଣ୍ଟ କିଣିବାକୁ ପଡ଼ିବ।

ଯେଉଁ କମ୍ପାନିର ବାର୍ଷିକ କାରବାର ୩୦୦୦ କୋଟି ହୋଇଥିବ, ସେମାନଙ୍କୁ ହିଁ ବିଡ୍ ଡକ୍ୟୁମେଣ୍ଟ କିଣିବାକୁ ଅନୁମତି ଦିଆଯିବ ।ନୂତନ ଦଳର ଆଗମନ ସହିତ ମ୍ୟାଚ୍ ସଂଖ୍ୟା ମଧ୍ୟ ବଢିବ । ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଆସନ୍ତା ସିଜନରେ ଆଇପିଏଲରେ ୭୪ ଟି ମ୍ୟାଚ୍ ଖେଳାଯିବ ।