ନୂଆଦିଲ୍ଲୀ, ୧୦/୧୦ : ଡିସେମ୍ବରରେ ହେବ ଆଇପିଏଲ୍ ପାଇଁ ଖେଳାଳି ଅକ୍ସନ । ନିଜ ମନ ପସନ୍ଦର ଖେଳାଳିଙ୍କୁ ନିଲାମ ପ୍ରକ୍ରିୟାରେ କିଣିବେ ଫ୍ରାଞ୍ଚାଇଜ୍ । ଯଦିଓ ଇଣ୍ଡିଆନ ପ୍ରିମିୟର ଲିଗର ପରବର୍ତ୍ତୀ ସିଜିନ୍ ଆରମ୍ଭ ହେବାକୁ ବହୁତ ସମୟ ବାକି ଅଛି, ତଥାପି ତା ପୂର୍ବରୁ ମିନି ଅକ୍ସନ ସହିତ ଖେଳାଳିମାନଙ୍କର ରିଟେନସନ୍ ପ୍ରକ୍ରିୟା ଶେଷ ହେବ । ମିଳିଥିବା ସୂଚନା ମୁତାବକ ଆସନ୍ତା ଡିସେମ୍ବର ମାସରେ ଏହି ଖେଳାଳି ନିଲାମ ପ୍ରକ୍ରିୟା ହୋଇପାରେ ।
ଡିସେମ୍ବର ୧୩ ରୁ ୧୫ ମଧ୍ୟରେ ଖେଳାଳି ନିଲାମ । ଇଣ୍ଡିଆନ୍ ପ୍ରିମିୟର ଲିଗର ପରବର୍ତ୍ତୀ ସିଜିନ୍ ପୂର୍ବରୁ ଏହି ନିଲାମ ହେବ। ଏଥର ମେଗା ନିଲାମ ନୁହେଁ, ମିନି ନିଲାମ ଅନୁଷ୍ଠିତ ହେବ। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଡିସେମ୍ବର ୧୩ ରୁ ୧୫ ତାରିଖ ଭିତରେ ଏହି ଖେଳାଳି ନିଲାମ ହେବ । ହେଲେ ଏପର୍ଯ୍ୟନ୍ତ ଏନେଇ BCCI ଏବଂ IPL ଗଭର୍ଣ୍ଣିଂ କାଉନସିଲ୍ କୌଣସି ବିଧିବଦ୍ଧ ତାରିଖ ଚୂଡ଼ାନ୍ତ କରିନାହାଁନ୍ତି ।
ପୂର୍ବ ଦୁଇଟି IPL ସିଜିନରେ ଖେଳାଳି ନିଲାମ ପ୍ରକ୍ରିୟା ଭାରତ ବାହାରେ ଅନୁଷ୍ଠିତ ହୋଇଥିଲା, କିନ୍ତୁ ଏଥର ଏପରି କିଛି ଘଟିବ ନାହିଁ ବୋଲି ଜଣାପଡୁଛି । ଯାହାର ଅର୍ଥ, ଏଥର ଆଇପିଏଲ୍ ପାଇଁ ଖେଳାଳି ନିଲାମ ଭାରତରେ ଅନୁଷ୍ଠିତ ହେବ। ଖାସ୍ କରି କୋଲକାତା କିମ୍ବା ବେଙ୍ଗାଲୁରୁରେ ଖେଳାଳି ନିଲାମ ହୋଇପାରେ ବୋଲି ଖବର ମିଳୁଛି । ତେବେ ଏହା ପୂର୍ବରୁ ନଭେମ୍ବର ୧୫ ସୁଦ୍ଧା ଟିମ୍ ମାନେ ନିଜ ନିଜର ରିଟେନସନ୍ ଖେଳାଳିଙ୍କ ତାଲିକା ବିସିସିଆଇକୁ ଦେବେ ଆଉ ଏହାପରେ ଯାଇ ଖେଳାଳି ନିଲାମ କରାଯିବ ।
