IPL 2026ର ଉଦଘାଟନୀ ସମାରୋହ ବାତିଲ

ନୂଆଦିଲ୍ଲୀ, ୨୬/୦୩ : ଆଇପିଏଲ୍ ୨୦୨୬ର ଉଦଘାଟନୀ ମ୍ୟାଚ୍ ମାର୍ଚ୍ଚ ୨୮ରେ ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ସନରାଇଜର୍ସ ହାଇଦ୍ରାବାଦ । ତେବେ ଏଥର ଆଇପିଏଲର ଉଦଘାଟନ ସମାରୋହୀ ହେବ ନାହିଁ । ଗତ ବର୍ଷ ଜୁନ ୪ରେ ଆରସିବିର ଭିକ୍ଟ୍ରି ପରେଡ ସମୟରେ ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ହୋଇଥିବା ଦଳାଚକଟାରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିଲା । ମୃତକଙ୍କ ପରିଜନ ପ୍ରତି ସମବେଦନା, ସ୍ମୃତି ଓ ସମ୍ମାନରେ ବିସିସିଆଇ ଉଦଘାଟନୀ ସମାରୋହ ନ କରିବାକୁ ନିଷ୍ପତ୍ତି ନେଇଛି । ଗତ ବର୍ଷ ଆରସିବି ପଞ୍ଜାବ କିଙ୍ଗ୍‌ସକୁ ହରାଇ ନିଜର ପ୍ରଥମ ଟାଇଟଲ୍ ଜିତିଥିଲା ।

ବିସିସିଆଇ ଶନିବାର ଆଇପିଏଲର ପ୍ରଥମ ମ୍ୟାଚ୍ ପୂର୍ବରୁ କୌଣସି ଉତ୍ସବ ଆୟୋଜିତ ନ କରିବାକୁ ନିଷ୍ପତ୍ତି ନେଇଛି । ବିସିସିଆଇ ସଚିବ ଦେବଜିତ ସୈକିୟା କହିଛନ୍ତି, ବିସିସିଆଇ ଓ ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ଆଇପିଏଲ୍ ୨୦୨୬ର ଗ୍ରାଣ୍ଡ ଉଦଯାପନୀ ସମାରୋହ କରିବାକୁ ଯୋଜନା କରୁଛନ୍ତି । ୧୦ଟି ଟିମକୁ ନେଇ ଆୟୋଜିତ ଏହି ଲିଗ୍ ପାଇଁ ବିସିସିଆଇ କେବଳ ୨୦ଟି ମ୍ୟାଚର କ୍ରୀଡାସୂଚୀ ଘୋଷଣା କରିଛି । ନିର୍ବାଚନ ଆୟୋଗ ଦ୍ୱାରା ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହୋଇ ସାରିଥିବାରୁ ବାକି ମ୍ୟାଚର କାର୍ଯ୍ୟସୂଚୀ ଶୀଘ୍ର ଘୋଷଣା କରିପାରେ ବିସିସିଆଇ ।