ଆଇପିଏଲ-୨୦୨୦ : ସନରାଇଜର୍ସ ହାଇଦ୍ରାବାଦକୁ ୧୨ ରନ୍‌ରେ ପରାସ୍ତ କଲା କିଙ୍ଗସ୍‌ ଇଲେଭେନ୍ ପଞ୍ଜାବ

ଦୁବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍)‌ର ୪୩ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୧୨ ରନ୍‌ରେ ପରାସ୍ତ କଲା କିଙ୍ଗସ୍‌ ଇଲେଭେନ ପଞ୍ଜାବ । ଦ୍ବିତୀୟ ପାଳିରେ ହାଇଦ୍ରାବାଦ ମାତ୍ର ୧୨୬ ରନ୍‌ର ଲକ୍ଷ୍ୟକୁ ପିଛା କରି ୧୯.୫ ଓଭରରେ ସମସ୍ତ ୱିକେଟ ହରାଇ ୧୧୪ ରନ୍‌ କରି ପରାଜୟ ବରଣ କରିଛି । ହାଇଦ୍ରାବାଦ ପକ୍ଷରୁ ପ୍ରଥମରୁ ଦୃଢ ବ୍ୟାଟିଂ ଦେଖିବାକୁ ମିଳିଥିଲା । ଡେଭିଡ ୱାର୍ଣ୍ଣର ୨୦ ବଳରେ ୩୫ ରନ୍‌ ଓ ଜନି ବେୟାରଷ୍ଟୋ ୨୦ ବଲରେ ୧୯ ରନ୍‌ କରିଥିଲେ । ଅନ୍ୟପକ୍ଷରେ ମନୀଷ ପାଣ୍ଡେ ୧୫ କରିଥିବା ବେଳେ ବିଜୟ ଶଙ୍କର ୨୬ ରନ୍‌ କରି କରିଥିଲେ । ଏହା ପରେ ହାଇଦ୍ରାବାଦର କୌଣସି ବ୍ୟାଟ୍ସମ୍ୟାନ ପଡିଆରେ ତିଷ୍ଠି ପାରି ନଥିଲେ । ଅନ୍ୟପଟେ ପଞ୍ଜାବ ପକ୍ଷରୁ ରବି ବିଷନୋଇ, ମୁରୁଗାନ୍ ଅଶ୍ୱିନ୍ ଓ ମହମ୍ମଦ ଶାମି ୧-୧ ୱିକେଟ ନେଇଥିଲେ । ସେହିପରି କ୍ରିସ୍ ଜୋର୍ଡାନ୍ ଓ ଅର୍ଶଦୀପ ସିଂ ୩-୩ ୱିକେଟ ନେଇଥିଲେ। ଜୋର୍ଡାନ୍ ୧୯ତମ ଓଭରରେ ଲଗାତାର ୨ଟି ବଲରେ ୨ଟି ୱିକେଟ ନେଇଥିବା ବେଳେ ଅର୍ଶଦୀପ ସିଂ ମଧ୍ୟ ଶେଷ ଓଭରରେ ଲଗାତାର ୨ଟି ବଲରେ ୨ଟି ୱିକେଟ ନେଇ ପଞ୍ଜାବକୁ ଏକ ବଡ ବିଜୟ ଦେଇଥିଲେ । ଫଳରେ ପଞ୍ଜାବ ଏହି ମ୍ୟାଚକୁ ୧୨ ରନ୍‌ରେ ଜିତି ନେଇଥିଲା । ଏହି ବିଜୟ ସହ ପଞ୍ଜାବ ୧୦ଅଙ୍କ ସଂଗ୍ରହ କରି ଦଳ ତାଲିକାରେ ୫ମ ସ୍ଥାନରେ ରହିଛି ।