ଦୁବାଇ,୨୫ /୯: ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ)ର ତ୍ରୟୋଦଶ ସଂସ୍କରଣର ୭ମ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗସ୍ ଲଗାତର ଦ୍ବିତୀୟ ପରାଜୟ ବରଣ କରିଛି। ବ୍ୟାଟସମ୍ୟାନମାନଙ୍କର ବିଫଳ ପ୍ରଦର୍ଶନ ଫଳରେ ୧୭୬ ରନର ବିଜୟ ଲକ୍ଷ ହାସଲ କରି ନ ପାରି ଦିଲ୍ଲୀ କ୍ୟାପିଟାଲ୍ସ ନିକଟରୁ ୪୪ ରନରେ ହାରିଯାଇଛି ଚେନ୍ନାଇ।
ଚେନ୍ନାଇର ଦୁଇ ଓପନର ଶେନ୍ ୱାଟସନ୍ ଓ ମୂରଲୀ ବିଜୟ ଯଥାକ୍ରମେ ୧୪ ଓ ୧୦ ରନରେ ଆଉଟ୍ ହୋଇଯାଇଥିଲେ। ଏହାପରେ ଋତୁରାଜ ଗାଏକୱାଡ୍ ମାତ୍ର ୫ ରନ କରି ପାଭଲିଅନକୁ ଫେରିଯାଇଥିଲେ। ପରେ ଫାବ୍ ଡୁପ୍ଲେସିସ୍ ଓ କେଦାର ଯାଦବ ବ୍ୟାଟିଂ ସ୍ଥିତି ବଞ୍ଚାଇବାକୁ ପ୍ରୟାସ କରିଥିଲେ। ମାତ୍ର ରନ ସଂଗ୍ରହ ଧିମା ପଡ଼ିଯାଇଥିଲା। ଫାବ୍ ଡୁପ୍ଲେସିସ୍ ୪୩(୩୫) ଓ କେଦାର ଯାଦବ ୨୬ (୨୧) କରି କ୍ରିଜରୁ ବିଦାୟ ନେଇଥିଲେ। ଏହାପରେ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନୀ ପଡ଼ିଆକୁ ଆସି ମ୍ୟାଚ ସୁଧାରିବାକୁ ଚାହିଁଥିଲେ, ମାତ୍ର ସେ ୧୫ ରନ୍ କରି ଆଉଟ୍ ହୋଇଯାଇଥିଲେ। ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ ହରାଇ ଚେନ୍ନାଇ ଦଳ ୧୩୧ ରନ କରିବାକୁ ସକ୍ଷମ ହୋଇଥିଲା।