ବ୍ରହ୍ମପୁର, ୩୦/୧୦ : ଚଳିତବର୍ଷ ୟୁଏଇରେ ଖେଳା ଯାଉଥିବା ଆଇପିଏଲ୍ ମ୍ୟାଚ୍କୁ ନେଇ ଜୁଆ ଓ ବେଟିଂ କାର୍ଯ୍ୟକଳାପରେ ବୃଦ୍ଧିଘଟିଛି। ଆଇପିଏଲ୍ ୟୁଏଇକୁ ଚାଲି ଯାଇଥିଲେ ହେଁ ଏହାକୁ ନେଇ ଅନୈତିକ କାର୍ଯ୍ୟକଳାପ ଭାରତରେ ରହିଯାଇଛି। ଓଡ଼ିଶାରେ ମଧ୍ୟ କ୍ରିକେଟ ବେଟିଂ ଜୋରଦାର ହେଉଛି। ଏଭିତରେ ବ୍ରହ୍ମପୁରରେ କୋଟି କୋଟିର ବେଟିଂ ଚାଲିଥିବା ସୂଚନା ମିଳିଥିଲା। ବ୍ରହ୍ମପୁର ଏସ୍.ପି ପିନାକ୍ ମିଶ୍ର ନିଜେ ପାଇଥିବା ସୂଚନା ଆଧାରରେ ଚଢ଼ଉ କରିଏକ ବଡ଼ ଧରଣର ଆଇପିଏଲ୍ ବେଟିଂ ରାକେଟ୍ର ପର୍ଦ୍ଦାଫାସ୍ କରିବାରେ ସକ୍ଷମ ହୋଇଛନ୍ତି। ବେଟିଂ ରାକେଟ୍ ଚଳାଉଥିବା ଦୁଇଜଣ ପୁରୁଣା ବୁକିଙ୍କୁ ମଧ୍ୟ ପୁଲିସ ଅଟକ ରଖି ଜେରା କରୁଛି। ପୁଲିସ ସେମାନଙ୍କ ନିକଟରୁ ପ୍ରାୟ ୨୫ରୁ ୩୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜବତ କରିଥିବା କୁହାଯାଉଛି। କିନ୍ତୁ ପୁଲିସ ପକ୍ଷରୁ ଅଦ୍ୟାବଧି ନିର୍ଦ୍ଦିଷ୍ଟ ଭାବେ କିଛି ସ୍ପଷ୍ଟ କରା ଯାଇନାହିଁ।
ଆଇପିଏଲ୍ ଆରମ୍ଭ ହେବା ଦିନରୁ ପୁଲିସ ଏହି ଦୁଇ ପୁରୁଣା ବୁକିଙ୍କ ଉପରେ ନଜର ରଖିଥିଲା। ଗତକାଲି ପୁଲିସ ବୁକିଙ୍କ ଜରିଆରେ କାମ କରୁଥିବା କିଛି ଏଜେଣ୍ଟ୍ଙ୍କୁ ଉଠାଇଥିଲା। ଏମାନଙ୍କୁ ଜେରା କରିବା ପରେ ବ୍ରହ୍ମପୁରରେ ଚାଲିଥିବା ଏହି ଆଇପିଏଲ୍ ବେଟିଂ କାରବାର ଠାବ ହୋଇଥିବା ଜଣେ ବରିଷ୍ଠ ଅଧିକାରୀଙ୍କଠାରୁ ସୂଚନା ମିଳିଛି। ଆଜି ବ୍ରହ୍ମପୁର ଏସ୍.ପି. ପିନାକ ମିଶ୍ରଙ୍କ ନେତୃତ୍ବରେ ଏହି ଟିମ୍ ଗୋସାଇଁ ନୂଆଗାଁ ଅଞ୍ଚଳର ଜଣେ ନିର୍ଦ୍ଦିଷ୍ଟ ବୁକିଙ୍କ ଘରେ ଚଢ଼ଉ କରିଥିଲା। ବର୍ତ୍ତମାନ ଉଭୟ ବୁକି ପୁଲିସ କବ୍ଜାରେ। ଏମାନେ ବ୍ରହ୍ମପୁରରେ ରହି ଗଞ୍ଜାମ ଜିଲ୍ଲା ସମେତ ବିଭିନ୍ନ ଅଞ୍ଚଳରେ ତାଙ୍କର ରାକେଟ୍ ଚଳାଉଥିଲେ ବୋଲି ଜଣାପଡ଼ିଛି। ଏ ଦିଗରେ ଅଧିକ ତଦନ୍ତ ଚାଲିଥିବାରୁ ପୁଲିସ ବିଶେଷ କିଛି ତଥ୍ୟ ଦେବା ପାଇଁ ମନା କରିଛି। ଆସନ୍ତାକାଲି ପୁଲିସ ଏହି ରାକେଟ୍ ସଂପର୍କରେ ଅଧିକ ତଥ୍ୟ ଦେବ ବୋଲି ଅନୁମାନ କରାଯାଉଛି।