ମୁମ୍ବାଇ,୧/୪ : ଆଇପିଏଲ ୨୦୨୨ର ୮ମ ମ୍ୟାଚରେ କୋଲକାତା ପଞ୍ଜାବକୁ ୬ ଓ୍ବିକେଟରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ପଂଜାବ ମାତ୍ର ୧୩୭ରେ ଅଲଆଉଟ ହୋଇଯାଇଥିଲା । ୧୩୮ ରନର ଲକ୍ଷ୍ୟକୁ କୋଲକାତା ୧୪.୩ ଓଭରରେ ୧୪୧ରନ କରି ହାସଲ କରିନେଇଥିଲା । କୋଲକାତାର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଆଣ୍ଡ୍ରେ ରସେଲ । ସେ ମାତ୍ର ୩୧ ବଲରେ ୭୦ ରନର ଏକ ଧୂଆଁଧାର ପାଳି ଖେଳିଥିଲେ । ନିଜର ଏହି ବିସ୍ଫୋରକ ଇନିଂସରେ ସେ ୮ଟି ବିଶାଳ ଛକା ଓ ୨ଟି ଚୌକା ମାରିଥିଲେ । ଶ୍ରେୟାସ ଆୟର ୨୬ ରନ ଓ ସାମ ବିଲିଙ୍ଗସ ୨୪ ରନର ଯୋଗଦାନ ଦେଇଥିଲେ ।
ଏହି ମ୍ୟାଚରେ କୋଲକାତା ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ପଂଜାବ ଦଳ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ସମ୍ମୁଖୀନ ହୋଇଥିଲା । ଦଳର କୌଣସି ବ୍ୟାଟ୍ସମ୍ୟାନ ବଡ଼ ସ୍କୋର କରିପାରିନଥିଲେ । ତେବେ ଭାନୁକା ରାଜପକ୍ଷେ ଓ ଶେଷ ବେଳକୁ କାଗିସୋ ରବାଡା ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେବାରେ ସହାୟତା କରିଥିଲେ । ରାଜପକ୍ଷେ ୩୧ ରନ କରିଥିବାବେଳେ ରବାଡା ୨୫ ରନ କରିଥିଲେ । ଲିଆମ ଲିଭିଙ୍ଗଷ୍ଟୋନ ୧୯ ଓ ଶିଖର ଧଓ୍ବନ ୧୬ ରନ କରିଥିଲେ । ଅଧିନାୟକ ମୟଙ୍କ ଅଗ୍ରଓ୍ବାଲ ମାତ୍ର ୧ ରନ କରି ଆଉଟ ହୋଇଥିଲେ । କୋଲକାତା ପକ୍ଷରୁ ଉମେଶ ଯାଦବ ଆକ୍ରାମକ ବୋଲିଂର ପ୍ରଦର୍ଶନ କରି ୪ଟି ଓ୍ବିକେଟ ନେଇଥିବାବେଳେ ଟିମ ସାଉଦି ୨ଟି ଓ୍ବିକେଟ ନେଇଥିଲେ ।