ଆଇପିଏଲ୍‍ ଫ୍ରାଞ୍ଚାଇଜିଙ୍କୁ କ୍ଷତିପୂରଣ ଦେବାର ପ୍ରଶ୍ନ ଉଠୁନାହିଁ : ବିସିସିଆଇ

ମୁମ୍ବଇ : ୟୁଏଇରେ ଖେଳାଯିବ ଚଳିତବର୍ଷର ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍) । ସେପ୍ଟେମ୍ବର ମାସ ୧୯ ତାରିଖରୁ ଆରମ୍ଭ ହେଉଥିବା ଏହି ଆଇପିଏଲ୍‍ ଏଥର ଦର୍ଶକଙ୍କ ବିନା ଖାଲି ଷ୍ଟାଡିଅମରେ ଖେଳାଯିବ। ଏହାସହ ଆଇପିଏଲ୍‍ର ଟାଇଟଲ ପ୍ରାୟୋଜକ ଭିଭୋ ମଧ୍ୟ ନିଜ ଆଡ଼ୁ ଓହରି ଯାଇଛି। ଏପରି କ୍ଷେତ୍ରରେ ବିସିସିଆଇ ଏବଂ ଆଇପିଏଲ୍‍ର ୮ଟିଯାକ ଫ୍ରାଞ୍ଚାଇଜି କିଛି ଆର୍ଥିକ କ୍ଷତି ସହିବା ନିଶ୍ଚିତ। ଏପରି କ୍ଷେତ୍ରରେ ବିସିସିଆଇ ସେମାନଙ୍କୁ କ୍ଷତିପୂରଣ ପ୍ରଦାନକରୁ ବୋଲି କିଛି ଫ୍ରାଞ୍ଚାଇଜି ଦାବି କରିଥିଲେ। ହେଲେ ଏପରି କରିବାକୁ ବିସିସିଆଇ ମନା କରିଦେଇଛି। କୌଣସି ଫ୍ରାଞ୍ଚାଇଜିଙ୍କୁ କ୍ଷତିପୂରଣ ଦେବାର ପ୍ରଶ୍ନ ଉଠୁନାହିଁ ବୋଲି ବିସିସିଆଇର ଜଣେ ଅଧିକାରୀ କହିଛନ୍ତି। ଏହି ସନ୍ଦର୍ଭରେ ବିସିସିସିଆଇ ଏପରି ଯୁକ୍ତି ଉପସ୍ଥାପନ କରିଛି ଯେ କରୋନା ସଂକ୍ରମଣ ଯୋଗୁଁ ଟ୍ୱେଣ୍ଟି୨୦ ବିଶ୍ୱକପ୍‍ ପରି ଯଦି ଚଳିତବର୍ଷ ଆଇପିଏଲ୍‍ ଆଦୌ ଖେଳା ଯାଇନଥାଆନ୍ତା; ତେବେ କୌଣସି ଫ୍ରାଞ୍ଚାଇଜି ଟଙ୍କାଟିଏ ପାଇନଥାଆନ୍ତେ। ଚଳିତବର୍ଷ ଆଇପିଏଲ୍‍ ଆୟୋଜନ ହେଉଛି; ଏହାକୁ ନେଇ ଫ୍ରାଞ୍ଚାଇଜିମାନେ ଖୁସି ହେବା କଥା। ଚଳିତବର୍ଷର ସଂସ୍କରଣ ବିଦେଶରେ ଏବଂ ବିନା ଦର୍ଶକରେ ହେଉଛି, ଫ୍ରାଞ୍ଚାଇଜିମାନେ ଏଥିରୁ କିଛି ରାଜସ୍ୱ ପାଇବା ନିଶ୍ଚିତ। ଟୁର୍ଣ୍ଣାମେଣ୍ଟ ବାତିଲ ହୋଇଥିଲେ ଏହା ବି ସେମାନଙ୍କୁ ମିଳିନଥାଆନ୍ତା। ପୁଣି ପ୍ରତିବର୍ଷ ପ୍ରତି ଫ୍ରାଞ୍ଚାଇଜି ତା’ର ପ୍ରମୁଖ ପ୍ରାୟୋଜକଙ୍କଠାରୁ ପାଉଥିବା ରାଜସ୍ୱର ୨୦ ପ୍ରତିଶତ ବିସିସିଆଇକୁ ଦେଇଥାଆନ୍ତି। ଏହି ରାଜସ୍ୱ ବିସିସିଆଇର ଅନୁବନ୍ଧିତ ରାଜ୍ୟ କ୍ରିକେଟ୍‍ ଆସୋସିଏସନ୍‍; ଯାହାର ଷ୍ଟାଡିୟମ୍‍ରେ ଆଇପିଏଲ୍‍ ମ୍ୟାଚ୍‍ ଖେଳା ଯାଇଥାଏ; ତାକୁ ପ୍ରଦାନ କରା ଯାଇଥାଏ। ଚଳିତବର୍ଷ ଏହି ୨୦ ପ୍ରତିଶତ ରାଜସ୍ୱ ଛାଡ଼କରିବା ପାଇଁ ବିସିସିଆଇ ନିକଟରେ ଦାବିକରିଛି ଆଉ ଏକ ଫ୍ରାଞ୍ଚାଇଜି। ମ୍ୟାଚ୍‍ ଆୟୋଜନ କରୁଥିବା ରାଜ୍ୟ କ୍ରିକେଟ୍‍ ଆସୋସିଏସନ୍‍ ପ୍ରତିବର୍ଷ ଫ୍ରାଞ୍ଚାଇଜିଠାରୁ ୫୦ ଲକ୍ଷ ଓ ବିସିିସିଆଇଠାରୁ ୫୦ ଲକ୍ଷ ପ୍ରତି ମ୍ୟାଚ୍‍ ପାଇଁ ପାଇଥାଆନ୍ତି।