ନୂଆଦିଲ୍ଲୀ, ୧୯/୯ : ଆଜିଠାରୁ ୟୁଏଇରେ ଆରମ୍ଭ ହେବାକୁ ଯାଉଛି ଆଇପିଏଲର ୧୩ ତମ ସଂସ୍କରଣ। ଏହି ବର୍ଷ ମାର୍ଚ୍ଚ ମାସରେ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଥିବାବେଳେ କରୋନା ପାଇଁ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା। ତେବେ କରୋନା କଟକଣା ମଧ୍ୟରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେଉଥିବାରୁ ବିସିସିଆଇ କିଛିଟା ଗାଇଡଲାଇନ ପ୍ରସ୍ତୁତ କରିଛି। ସମସ୍ତ ଆଇପିଏଲ ଟିମକୁ ଏହି ନିୟମଗୁଡିକୁ ମାନିବା ବାଧ୍ୟତାମୂଳକ ବୋଲି କୁହାଯାଇଛି। ଏହି ବର୍ଷ ଆଇପିଏଲ ବିନା ଦର୍ଶକରେ ଆୟୋଜିତ ହେବ। ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତାକାଲି ଠାରୁ ଆରମ୍ଭ ହୋଇ ନଭେମ୍ବର ୧୦ ତାରିଖ ଯାଏ ଅନୁଷ୍ଠିତ ହେବ। ତେବେ ଚଳିତ ଆଇପିଏଲର ପ୍ରଥମ ମ୍ୟାଚରେ ଡିଫେଣ୍ଡିଙ୍ଗ ଚାମ୍ପିଅନ ମୁମ୍ବାଇ ଇଂଡିଆନ୍ସକୁ ଭେଟିବାକୁ ଯାଉଛି ତିନିଥର ଆଇପିଏଲ ବିଜେତା ତଥା ଗତଥରର ରନରସଅପ ଚେନ୍ନାଇ ସୁପର କିଙ୍ଗସ। ଏହି ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା ୭.୩୦ରେ ଆବୁଧାବିର ଶେଖ ଜାଏଦ ଷ୍ଟାଡିୟମରେ ଆରମ୍ଭ ହେବ। ପୂର୍ବରୁ ଉଭୟ ଦଳଙ୍କ ମଧ୍ୟରେ ୩୦ଟି ମୁକାବିଲା ଖେଳାଯାଇଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସ ୧୮ ଟି ଏବଂ ଚେନ୍ନାଇ ସୁପର କିଙ୍ଗସ ୧୨ଟି ମ୍ୟାଚ ଜିତିଛନ୍ତି ।