ୱାଶିଂଟନ୍,୨୭/୩ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କୂଟନୀତି ଓ ଆଲୋଚନାକୁ ପ୍ରାଥମିକତା ଦେଇ ଇରାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନକୁ ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ ହେଁ, ପାରସ୍ୟ ଉପସାଗରରେ ଏକ ଭୟଙ୍କର ଯୁଦ୍ଧର ସୂତ୍ରପାତ ହେବା ପରି ମନେହେଉଛି। ଆମେରିକା ଏବେ ସେଣ୍ଟ୍ରାଲ କମାଣ୍ଡର ନିର୍ଦ୍ଦେଶକୁ ଅପେକ୍ଷା କରିଥିବା ବେଳେ ଏହି ଅଞ୍ଚଳରେ ତିନୋଟି ବିଶାଳ ବିମାନବାହୀ ପୋତ ହଜାରେରୁ ଅଧିକ ଯୁଦ୍ଧବିମାନ ଓ ହଜାର ହଜାର ମାରିନ ସୈନ୍ୟଙ୍କୁ ମୁତୟନ କରି ଏକ ବିଶାଳ ସାମରିକ ବ୍ୟୁହ ରଚନା କରିଛି। ହର୍ମୁଜ ପ୍ରଣାଳୀରେ ନୌଚାଳନାର ସ୍ୱାଧୀନତା ବଜାୟ ରଖିବା ଏବଂ ଇରାନର ଆଇଆରଜିସି ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ସୁନ୍ନି ମୁସଲିମ ଦେଶଗୁଡ଼ିକୁ ସୁରକ୍ଷା ଯୋଗାଇବା ଉଦ୍ଦେଶ୍ୟରେ ଆମେରିକା ପାଖାପାଖି ୧୦,୦୦୦ ସ୍ଥଳ ସୈନ୍ୟ ମୁତୟନ କରିବାର ବିକଳ୍ପ ମଧ୍ୟ ରଖିଛି। ଯଦିଓ ବର୍ତ୍ତମାନ ଏକ ସାମୟିକ ବିରତି ଦେଖାଯାଉଛି, କିନ୍ତୁ ସାମରିକ ସଜ୍ଜା ସ୍ପଷ୍ଟ କରୁଛି ଯେ ଯୁଦ୍ଧ ଏବେ ବି ଶେଷ ହୋଇନାହିଁ, ବରଂ ଏହା ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି।
ବର୍ତ୍ତମାନର ସ୍ଥିତି ଅନୁଯାୟୀ, ଆମେରିକାର ଯୁଦ୍ଧପୋତ ”ଜେରାଲ୍ଡ ଫୋର୍ଡ” ଭୂମଧ୍ୟସାଗରରେ ଥିବା ବେଳେ ”ୟୁଏସଏସ ଜର୍ଜ ବୁଶ” ଜିବ୍ରାଲଟର ଉପକୂଳରେ ଓ ”ଆବ୍ରାହମ ଲିଙ୍କନ” ଓମାନ ଉପସାଗରରେ ପ୍ରସ୍ତୁତ ହୋଇ ରହିଛନ୍ତି। ଏଥିସହିତ ଦକ୍ଷିଣ ଭାରତ ମହାସାଗର ଅଞ୍ଚଳରେ ୪,୦୦୦ ମାରିନ ସୈନ୍ୟଙ୍କ ସହ ”ୟୁଏସଏସ ତ୍ରିପୋଲି” ଏବଂ ”ୟୁଏସଏସ ନ୍ୟୁ ଅର୍ଲିଆନ୍ସ” ଭଳି ଉଭୟଚର ଆକ୍ରମଣକାରୀ ଜାହାଜ ମୁତୟନ କରାଯାଇଛି। ମାଲାକା ପ୍ରଣାଳୀରେ ମଧ୍ୟ ବିଭିନ୍ନ ଗୁଇନ୍ଦା ଓ ଯୋଗାଣକାରୀ ଜାହାଜ ଯୁଦ୍ଧ ପାଇଁ ପ୍ରସ୍ତୁତ ଅଛନ୍ତି।