ଟ୍ରମ୍ପଙ୍କୁ ଇରାନର ଚେତାବନୀ, ସ୍ଥଳ ଯୁଦ୍ଧ ହେବ ବିନାଶକାରୀ

ତେହେରାନ : ଆମେରିକା-ଇସ୍ରାଏଲ ମିଳିତ ବାହିନୀ ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଅତି ଜଟିଳ ମୋଡ଼ରେ ପହଞ୍ଚିଛି। ବିଗତ ଚାରି ସପ୍ତାହ ଧରି ଜାରି ରହିଥିବା ଏହି ଯୁଦ୍ଧ ଏକ ଶକ୍ତିଶାଳୀ ସାମରିକ ଗତିରୋଧର ରୂପ ନେଇଛି। ଯୁଦ୍ଧବିରତି ଆଲୋଚନା ପାଇଁ ଉଭୟ ଇରାନ ଓ ଆମେରିକା କଡ଼ା ସର୍ତ୍ତ ରଖିଥିବା ଏବଂ ଇରାନ ଆମେରିକାର ସର୍ତ୍ତକୁ ପ୍ରତ୍ୟାଖ୍ୟାନ କରିଥିବାରୁ କୂଟନୈତିକ ଅଚଳାବସ୍ଥା ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ପାକିସ୍ତାନ ଦାବି କରିଛି ଯେ କଥାବାର୍ତ୍ତା ପାଇଁ ବିଭିନ୍ନ ଚ୍ୟାନେଲ ସକ୍ରିୟ ରହିଛି ଏବଂ ଖୁବ୍‌ଶୀଘ୍ର ଏହାର ପରିଣାମ ଦେଖିବାକୁ ମିଳିବ।

ଆମେରିକା ଓ ଇସ୍ରାଏଲ ଆକାଶମାର୍ଗରେ ନିଜର ପ୍ରାଧାନ୍ୟ ବିସ୍ତାର କରି ଇରାନର କ୍ଷେପଣାସ୍ତ୍ର ଭିତ୍ତିଭୂମିକୁ ବହୁ ପରିମାଣରେ ନଷ୍ଟ କରିଦେଇଥିଲେ ମଧ୍ୟ ଇରାନର ଆକ୍ରମଣ କ୍ଷମତା କମୁନଥିବାରୁ ସାମରିକ ବିଶେଷଜ୍ଞମାନେ ବିସ୍ମୟ ପ୍ରକଟ କରିଛନ୍ତି। ଇରାନ ହର୍ମୁଜ ପ୍ରଣାଳୀ ଅବରୋଧ କରି ବିଶ୍ୱ ଅର୍ଥନୀତି ଉପରେ ଏକ ଅସହ୍ୟ ଚାପ ପ୍ରୟୋଗ କରିବାରେ ସଫଳ ହୋଇଛି। ଏହି ସାମରିକ ଗତିରୋଧ ଏବେ ଏକ ଭୟଙ୍କର ସ୍ଥଳ ଯୁଦ୍ଧର ଆଶଙ୍କା ସୃଷ୍ଟି କରିଛି, ଯାହା ସମଗ୍ର ମଧ୍ୟ-ପ୍ରାଚ୍ୟରେ ଧ୍ବଂସଲୀଳା ରଚିବ ବୋଲି ବିଶ୍ଲେଷକମାନେ କହିଛନ୍ତି। ଇରାନ ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଚେତାବନୀ ଦେଇ କହିଛି ଯେ ସ୍ଥଳ ଯୁଦ୍ଧ ଆମେରିକୀୟ ମିଳିତ ବାହିନୀ ପାଇଁ ‘ମୃତ୍ୟୁର ବଳୟ’ ହେବ

ଇରାନର ବରିଷ୍ଠ ସାମରିକ ରଣନୀତିଜ୍ଞ ମୋହସେନ ରେଜାଇ ଏକ କଠୋର ଚେତାବନୀ ଦେଇ କହିଛନ୍ତି, ଯଦି ମିଳିତ ବାହିନୀ ସ୍ଥଳପଥରେ ଆକ୍ରମଣ କରେ, ତେବେ ତାହା ଶତ୍ରୁ ପକ୍ଷ ପାଇଁ ଅତ୍ୟନ୍ତ ବିପଜ୍ଜନକ ଏବଂ ବିନାଶକାରୀ ପ୍ରମାଣିତ ହେବ। ସେ ଆମେରିକାକୁ ଚ୍ୟାଲେଞ୍ଜ କରି ପ୍ରଶ୍ନ କରିଛନ୍ତି ଯେ, ଆମେରିକୀୟ ସୈନିକମାନେ କ’ଣ ଇସ୍ରାଏଲ ପାଇଁ ମରିବାକୁ ପ୍ରସ୍ତୁତ? ଇରାନର ପାହାଡ଼ିଆ ଅଞ୍ଚଳ, ବିସ୍ତୀର୍ଣ୍ଣ ମରୁଭୂମି ଏବଂ ଦୁର୍ଗ ସଦୃଶ ସହରଗୁଡ଼ିକୁ ଆକ୍ରମଣକାରୀଙ୍କ ପାଇଁ ଏକ ‘କିଲ୍ ଜୋନ୍’ ବା ମୃତ୍ୟୁର ବଳୟରେ ପରିଣତ କରିବା ପାଇଁ ତେହେରାନ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ସେ କହିଛନ୍ତି।