ଯୋଧପୁର,୬ /୪: ସୁରକ୍ଷା କର୍ମଚାରୀଙ୍କ ମୁହଁକୁ ଲଙ୍କାଗୁଣ୍ଡ ଫିିଙ୍ଗି ଜେଲରୁ ଫେରାର ହୋଇଯାଇଛନ୍ତି ୧୬ କଏଦୀ । ଏହି ଘଟଣା ଘଟିଛି ସୋମବାର ଦିନ ରାଜସ୍ଥାନର ଯୋଧପୁର ଜିଲା ଅନ୍ତର୍ଗତ ଫାଲୋଡି ସହରରେ ଥିବା ଉପ କାରଗାରରେ। ଖସି ପଳାଇଥିବା କଏଦୀମାନଙ୍କୁ ଧରିବା ପାଇଁ ବ୍ୟାପକ ତଲାସି ଅଭିଯାନ ଆରମ୍ଭ ହୋଇଛି।
ସୂଚନା ଅନୁସାରେ,ଜେଲରୁ ମୋଟ ୧୬ଜଣ କଏଦୀ ଖସି ପଳାଇଛନ୍ତି। ସିସି ଟିଭି ଫୁଟେଜରୁ କଏଦୀମାନେ ଜେଲ ବାହାରେ ଥିବା ଦୁଇଟି ଗାଡିରେ ବସି ପଳାଇ ଯାଉଥିବା ଦେଖିବାକୁ ମିଳିଛି। ଘଟଣା ସଂପର୍କରେ ଖବରପାଇ ଅତିରିକ୍ତ ଜିଲା ମାଜିଷ୍ଟ୍ରେଟ ସେଠାରେ ପହଞ୍ଚିଥିଲେ। ସମସ୍ତ ନିକଟବର୍ତ୍ତୀ ଥାନାଗୁଡିକୁ ସତର୍କ କରିଦିଆଯିବା ସହିତ କଏଦୀମାନେ ଯେଭଳି ଅନ୍ୟ ରାଜ୍ୟକୁ ପଳାଇନଯିବେ ସେଥିପାଇଁ ସୀମାନ୍ତରେ ତନଖି ଫାଟକ ଲଗାଯାଇଛି। ଏଥିସହିତ ସଡ଼କରେ ଚଳାଚଳ କରୁଥିବା ସମସ୍ତ ଯାତ୍ରୀବାହୀ ବସ୍ ଏବଂ ଅନ୍ୟାନ୍ୟ ଯାନବାହନକୁ ଯାଞ୍ଚ କରାଯାଉଛି। ଏହା ସୁପରିକଳ୍ପିତ କି ନୁହେଁ, ସେ ସମ୍ପର୍କରେ ତଦନ୍ତ କରାଯାଉଥିବା ଉପ ଜିଲାପାଳ ଶ୍ରୀ ଆହୁଜା କହିଛନ୍ତି।