ସାତବର୍ଷର ରାଜସ୍ବ ହାନି ପରେ ଚେତିଲା ପ୍ରଶାସନ : ହଟିଲା ଜମ୍ବୁ ମାର୍କେଟ କମ୍ପ୍ଲେକ୍ସ ଗୃହରୁ ଜବର ଦଖଲ

ମହାକାଳପଡ଼ା – (କେଶବ ଚରଣ ନାଥ) : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଜମ୍ବୁ ପଂଚାୟତସ୍ଥ ଜମ୍ବୁ ବଜାରରେ ବ୍ଲକ ପ୍ରଶାସନ ତରଫରୁ ସ୍ଥାନୀୟ ବ୍ୟବସାୟୀଙ୍କ ବିଧିବଧ ବ୍ୟବସାୟ ନିମନ୍ତେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଇଥିଲେ । କିନ୍ତୁ ଦୁଃଖର କଥା ସରକାରୀ ତହବିଲରୁ ଵ୍ୟୟିତ ଅର୍ଥରେ ନିର୍ମିତ୧୬ କକ୍ଷବିଶିଷ୍ଟ ମାର୍କେଟ କମ୍ପ୍ଲେକ୍ସ ଗୃହକାର୍ଯ୍ୟ ପୂର୍ଣ୍ଣାଙ୍ଗ ପରେ ୨୦୧୩ ମସିହାରୁ ଶୁଭ ଉଦଘାଟିତ ହୋଇଥିଲା । ମାତ୍ର ବ୍ଲକ ପ୍ରଶାସନର ଅବହେଳା ଓ ପଂଚାୟତ କର୍ତ୍ତୃପକ୍ଷଙ୍କ କୋହଳ ମନୋଭାବରୁ ଦୀର୍ଘ ୭ ବର୍ଷ ଧରି ଗୃହ ଗୁଡିକ ସ୍ଥାନୀୟ ଖଳ ବ୍ୟବସାୟୀଙ୍କ ଜବରଦଖଲ କବ୍ଜାରେ କବଳିତ ଥିଲା । ଯାହା ଫଳରେ ବଜାରର କିଛି ବ୍ୟବସାୟୀ ମlର୍କେଟ କମ୍ପ୍ଲେକ୍ସ ଗୃହ ପାଇଁ ଆବେଦନ କରି ଅପେକ୍ଷାରତ ଥିଲେ । ସ୍ଥାନୀୟ ପ୍ରଶାସନିକ ଅପାରଗତା ହେତୁ ଆବେଦନକାରି ବ୍ୟବସାୟୀ ମାନେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ।

ପଂଚାୟତରେ ସାତବର୍ଷର ରାଜସ୍ବ ହାନି ପରେ ବ୍ଲକ ପ୍ରଶାସନ ଚେଇଁ ଉଠିଛି । ଏନେଇ ଗୁରୁବାର ଦିନ ବିଡ଼ିଓ ଦେବାଶିଷ ରାଉତ, ତହସିଲଦାର ସୌଭାଗ୍ୟ ରଂଜନପଣ୍ଡା, ଜମ୍ବୁ ସାମୁଦ୍ରିକ ଥାନା ଅଧିକାରୀ ମହେଶ୍ୱର ସେଠି, ଜିପିଓ ଇତିଶ୍ରୀ ପଣ୍ଡା, ସରପଞ୍ଚ ପଞ୍ଚମୀ ମଣ୍ଡଳଙ୍କ ମିଳିତ ପ୍ରୟାସରେ ମାର୍କେଟ କମ୍ପ୍ଲେକ୍ସ ଗୃହ ଜବର ଦଖଲ ଉଛେଦ କରାଯାଇଛି । ସମସ୍ତ ଅଧିକାରୀଙ୍କ ଉପସ୍ଥିତିରେ ସରକାରୀ ଗୃହ ଗୁଡିକରେ ଜବରଦଖଲ କାରୀଙ୍କ ଗଛିତ ଦ୍ରବ୍ୟଗୁଡିକ ବାହାର କରାଯାଇ ପ୍ରଶାସନ ତରଫରୁ ତାଲାବନ୍ଦ ରଖାଯାଇଛ । ଆଗାମୀ ଦିନରେ ପ୍ରଶାସନ ତରଫରୁ ଆବେଦନ କାରି ବ୍ୟବସାୟୀମାନଙ୍କୁ ସରକାରୀ ମତେ ଗୃହ ଯୋଗାଇ ଦିଆଯିବ ବୋଲି ଜଣାପଡିଛି ।