ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ତିରୋଧାନ ଦିବସ

ଭୁବନେଶ୍ୱର,୨୧/୪ : ପ୍ରାୟ ଅର୍ଦ୍ଧଶତାବ୍ଦୀରୁ ଊର୍ଦ୍ଧ୍ୱ ସମୟ ଧରି ନିଜର ବିଚକ୍ଷଣ ପ୍ରତିଭା, ସାଂଗଠନିକ ଦକ୍ଷତା ଏବଂ ଅନନ୍ୟ ସେବାପରାୟଣତା ବଳରେ ଓଡ଼ିଶା ଏବଂ ଜାତୀୟ ରାଜନୀତିକୁ ବହୁଭାବରେ ପ୍ରଭାବିତ କରିଥିବା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳର ନେତା, କେନ୍ଦ୍ରର କ୍ୟାବିନେଟ୍ ମନ୍ତ୍ରୀ ତଥା ଆସାମର ପୂର୍ବତନ ରାଜ୍ୟପାଳ ଜାନକୀବଲ୍ଲଭ ପଟ୍ଟନାୟକ ଜଣେ ଦୂରଦ୍ରଷ୍ଟା ଓ ଯୁଗଦ୍ରଷ୍ଟା ରାଷ୍ଟ୍ରନୀତିଜ୍ଞ ଭାବରେ ଏ ଜାତି ନିକଟରେ ଯେତିକି ସ୍ମରଣୀୟ ହୋଇ ରହିବେ, ତା’ଠାରୁ ଅଧିକ ସ୍ମରଣୀୟ ହେବେ ତାଙ୍କର ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାର ସଂରକ୍ଷଣ ଓ ସମ୍ପ୍ରସାରଣ ପ୍ରତି ରହିଥିବା ଅଭୂତପୂର୍ବ ସଙ୍କଳ୍ପବଦ୍ଧତା ପାଇଁ।

୧୯୨୭ ଜାନୁଆରୀ ୩ରେ ଜାନକୀ ବଲ୍ଲଭ ପଟ୍ଟନାୟକ ଜନ୍ମଗ୍ରହଣ କରିଥିଲେ। ୧୯୪୭ରେ ସେ ଉତ୍କଳ ବିଶ୍ବବିଦ୍ୟାଳୟରୁ ସଂସ୍କୃତରେ ସ୍ନାତକ ଶିକ୍ଷା ଲାଭ କରିଥିଲେ। ସାମ୍ବାଦିକ ଭାବେ ପେସାଗତ ଜୀବନ ଆରମ୍ଭ କରିଥିବା ଜାନକୀ ବଲ୍ଲଭ ୧୯୭୧ ମସିହାରେ ପ୍ରଥମ ଥର ଲୋକ ସଭାକୁ ନିର୍ବାଚିତ ହେଲେ। ୧୯୮୦ ଜୁନରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦ ଜାନକୀବଲ୍ଲଭ ଅଳଂକୃତ କରିଥିଲେ। ୧୯୮୦ରୁ ୧୯୯୦ ପର୍ଯ୍ୟନ୍ତ କ୍ରମାଗତ ଦୁଇଥର ଓ ୧୯୯୫ ମସିହାରେ ସେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ତତ୍କାଳୀନ କଂଗ୍ରେସ ନେତୃତ୍ୱାଧୀନ କେନ୍ଦ୍ର ସରକାର ଜାନକୀବଲ୍ଲଭଙ୍କୁ ଆସାମର ରାଜ୍ୟପାଳ ଭାବେ ନିଯୁକ୍ତ କରିଥିଲେ। ଓଡ଼ିଆ ଓ ସଂସ୍କୃତରେ ଅଗାଧ ପାଣ୍ଡିତ୍ୟ ଅର୍ଜନ କରିିଥିବା ଜାନକୀ ବଲ୍ଲଭ ଅନେକ ପୁସ୍ତକ ମଧ୍ୟ ଲେଖିଛନ୍ତି। ଏକାଧାରରେ ସେ ରାଜନୀତିଜ୍ଞ, ବାଗ୍ମୀ, ସାମ୍ବାଦିକ ଓ ସାରସ୍ୱତ ସ୍ରଷ୍ଟା ଥିଲେ। ୨୦୦୧ରେ ବଙ୍କିମ ଚନ୍ଦ୍ରଙ୍କ ଉପନ୍ୟାସ ‘ବଙ୍କିମ ଚନ୍ଦ୍ର ଉପନ୍ୟାସମାଳା’ର ଅନୁବାଦ କରି ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ଓଡ଼ିଆ ସାହିତ୍ୟ ଏକାଡେମୀ ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ମହାନାୟକ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୨୦୧୫ ଏପ୍ରିଲ ୨୧ରେ ଦେହାନ୍ତ ହୋଇଥିଲା।

SBI AD