ସ୍ୱାସ୍ଥ୍ୟଗତ କାରଣରୁ ପଦରୁ ଇସ୍ତଫା ଦେଲେ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ

ଟୋକିଓ, ୨୮/୭ : ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ସ୍ୱାସ୍ଥ୍ୟଗତ କାରଣରୁ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ୬୫ ବର୍ଷ ବୟସ୍କ ଆବେ ଦୀର୍ଘ ଦିନ ଧରି ପେଟ ରୋଗ ସହ ସଂଘର୍ଷ କରିଆସୁଥିଲେ। ସେ ଗତ ୧୭ ଏବଂ ୨୪ ତାରିଖରେ ଦୁଇଥର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେବେଠାରୁ ଜାପାନ ଗଣମାଧ୍ୟମରେ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ଆଲୋଚନା ହୋଇଥିଲା। ତାଙ୍କ ଇସ୍ତଫାକୁ ନେଇ ମଧ୍ୟ ଅନେକ ଦିନ ଧରି ଚର୍ଚ୍ଚା ଜୋର୍ ଧରିଥିଲା । ଏବେ ସେ ବିଧିବଦ୍ଧ ଭାବେ ଇସ୍ତଫା ପ୍ରଦାନ କରିଛନ୍ତି ।

ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ସରକାରଙ୍କ କାର୍ଯ୍ୟକାରିତା ଉପରେ ତାଙ୍କ ସ୍ୱାସ୍ଥ୍ୟର କୌଣସି ପ୍ରଭାବ ପଡୁ ବୋଲି ଆବେ ଚାହୁଁନାହାଁନ୍ତି। ଏଭଳି ପରିସ୍ଥିତିରେ ସେ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିବା ପରେ ଇସ୍ତଫା ନେଇ ଘୋଷଣା କରିଛନ୍ତି। ଚଳିତ ମାସରେ, ଆବେ ପ୍ରଧାନମନ୍ତ୍ରୀ ଭାବରେ ସାତ ବର୍ଷ ଛଅ ମାସ ପୂରଣ କରିଛନ୍ତି।