ନୂଆଦିଲ୍ଲୀ ୨୭/୦୬: ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀ ଦଳର ପ୍ରାର୍ଥୀ ଯଶୱନ୍ତ ସିହ୍ନା ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଯଶୱନ୍ତ ସିହ୍ନାଙ୍କ ନାମାଙ୍କନ ଦାଖଲ ବେଳେ ବିରୋଧୀ ଦଳର ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ । କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଏନସିପି ମୁଖ୍ୟ ଶରଦ ପାଓ୍ୱାର ଓ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବଙ୍କ ଉପସ୍ଥିତିରେ ଯଶଓ୍ୱନ୍ତ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମଲ୍ଲିକାର୍ଜୁନ ଖଡଗେ, ଜୟରାମ ରମେଶ, ଡିଏମକେ ନେତା ଏ ରାଜା, ଏନସିପି ନେତା ଫାରୁକ ଅବଦୁଲା ମଧ୍ୟ ନାମାଙ୍କନ ପତ୍ର ଦାଖଲ ବେଳେ ଉପସ୍ଥିତ ରହିଥିଲେ । ଯଶଓ୍ୱନ୍ତ ନିଜର ନାମାଙ୍କନ ପତ୍ର ରାଷ୍ଟ୍ରପତି ନିର୍ବାଚନ ପାଇଁ ରିଟର୍ଣ୍ଣିଂ ଅଫିସର ପିସି ମୁଡିଙ୍କୁ ପ୍ରଦାନ କରିଥିଲେ ।
ଟିଏମସି, କଂଗ୍ରେସ, ସମାଜବାଦୀ ପାର୍ଟି, ଆରଜେଡି ପ୍ରମୁଖ ବିରୋଧୀ ଦଳ ଯଶୱନ୍ତ ସିହ୍ନାଙ୍କୁ ସମର୍ଥନ କରୁଛନ୍ତି। ତାଙ୍କୁ ବିରୋଧୀ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯିବାରୁ ଯଶୱନ୍ତ ସିହ୍ନା ବିରୋଧୀ ଦଳ ନେତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତେବେ ତାଙ୍କ ପୁଅ ତଥା ବିଜେପି ସାଂସଦ ଜୟନ୍ତ ସିହ୍ନାଙ୍କ ସଂପର୍କରେ ଏକ ଟିପ୍ପଣୀ ରଖିଥିଲେ, ଯାହା ଚର୍ଚ୍ଚାର ବିଷୟ ହୋଇଛି। ସେ କହିଥିଲେ ଯେ, ପୁଅର ସମର୍ଥନ ନ ପାଇ ମୁଁ କୌଣସି ପ୍ରକାର ଧର୍ମ ସଂକଟରେ ନାହିଁ। ପୁଅ ରାଜଧର୍ମ ପାଳନ କରୁଛି। ମୁଁ ରାଷ୍ଟ୍ର ଧର୍ମ ପାଳନ କରିବି ବୋଲି ସିହ୍ନା କହିଥିଲେ।