ଭୁବନେଶ୍ୱର, ୩୦/୦୧ : ରାୟଗଡ଼ାରେ ପୁଣି ଜଣ୍ଡିସ୍ ଆତଙ୍କ । ଇନ୍ଦିରା ନଗର,କସ୍ତୁରୀ ନଗର, ଅଶୋକ ନଗର ଓ କତୁରୁ ବସ୍ତିରେ ଏକାଧିକ ଜଣ୍ଡିସ ରୋଗୀ ଚିହ୍ନଟ । ସମସ୍ତଙ୍କ ବୟସ ୧୧ରୁ ୧୭ ବର୍ଷ ମଧ୍ୟରେ । ଏକ ସପ୍ତାହ ମଧ୍ୟରେ ୧୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦୂଷିତ ପାନୀୟ ଜଳ ଓ ଅସ୍ବାସ୍ଥ୍ୟକର ଖାଦ୍ୟ ଖାଇବା ଯୋଗୁଁ ଲୋକେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି । ପ୍ରଥମେ ପ୍ରବଳ ଜ୍ବର ହେବା ସହ ଆଖି ହଳଦିଆ ପଡିଯାଉଥିବା ଆକ୍ରାନ୍ତଙ୍କ ପରିବାର ଲୋକେ କହିଛନ୍ତି । ସ୍ବସ୍ଥ୍ୟ ବିଭାଗର ସ୍ବତନ୍ତ୍ର ଟିମ୍ ଗାଁରେ ପହଞ୍ଚି ଚିକିତ୍ସା ଆରମ୍ଭ କରିଛନ୍ତି । ଅନ୍ୟପଟେ ଆକ୍ରାନ୍ତଙ୍କ ରକ୍ତ ନମୁନା ଓ ପିଇବା ପାଣି ସଂଗ୍ରହ କରାଯାଇ ଯାଞ୍ଚ ପାଇଁ ପଠାଇଛି ସ୍ବାସ୍ଥ୍ୟ ବିଭାଗ । ପରିବେଶ ସଫାସୁତରା ରଖିବା ପାଇଁ ଲୋକମାନଙ୍କୁ ସଚେତନ କରାଯାଉଛି । ବର୍ତ୍ତମାନ ସୁଦ୍ଧା ରାୟଗଡା ଜିଲ୍ଲାରେ ୨୨ ଜଣ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।