ଭୁବନେଶ୍ୱର: ଅବପାତ ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ସକ୍ରିୟ ରହିଛି । ଏହା ଉତ୍ତରପଶ୍ଚିମ ଆଡ଼କୁ ଗତି କରି ପରବର୍ତ୍ତୀ ୨୪ ଘଣ୍ଟାରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାରେ ପରିଣତ ହୋଇପାରେ । ବାତ୍ୟାର ରୂପ ନେବା ପରେ ଏହାର ନାମ ‘ଜୱାଦ’ ରହିବ । ଏହି ବାତ୍ୟା ପରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରର ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ୪ ତାରିଖ ସକାଳେ ମାଡ଼ ହୋଇପାରେ । ଏହାପରେ ଏହା ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରିବ । ପ୍ରଭାବରେ ଦକ୍ଷିଣ ଉପକୂଳ ଓଡ଼ିଶା ସହ ଅନ୍ୟ କିଛି ଜିଲ୍ଲାରେ ବର୍ଷା ହେବ ।
ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇ କହିଛନ୍ତି ଯେ, ସମ୍ଭାବ୍ୟ ବାତ୍ୟା “ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ । ଚଳିତ ମାସ ୩ ତାରିଖ ମଧ୍ୟରାତ୍ରୀ ପରେ ପବନ ବେଗ ବଢ଼ିବାକୁ ଲାଗିବ । ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଏକ ଉଚ୍ଚସ୍ତରୀୟ ବୈଠକରେ ବାତ୍ୟା “ଜୱାଦ’ ମୁକାବିଲା ପାଇଁ ପ୍ରସ୍ତୁତି ସମୀକ୍ଷା କରିଛନ୍ତି ।
ଏହି ସମୀକ୍ଷା ବୈଠକରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ ତଥା ସମ୍ପୃକ୍ତ ଏଜେନ୍ସିର ଅଧିକାରୀମାନେ ଯୋଗ ଦେଇ ବାତ୍ୟାଜନିତ ପରିସ୍ଥିତିର ମୁକାବିଲ ପାଇଁ ପ୍ରାକ୍ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ । ପ୍ରଭାବିତ ଅଞ୍ଚଳରେ ଲୋକମାନଙ୍କୁ ନିରାପଦ ଭାବେ ଉଦ୍ଧାର କରିବା ଲାଗି ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବାତ୍ୟା ସମୟରେ ବିଦ୍ୟୁତ ଶକ୍ତି, ଟେଲି ଯୋଗାଯୋଗ, ସ୍ୱାସ୍ଥ୍ୟ, ପାନୀୟ ଜଳ ଆଦି ଜରୁରି ସେବା ଯୋଗାଣ ସୁନିଶ୍ଚିତ କରିବା ସହିତ ଏଥିରେ ବାଧା ଉତ୍ପନ୍ନ ହେବା କ୍ଷେତ୍ରରେ ତୁରନ୍ତ ପୁନରୁଦ୍ଧାର କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ ।