ରାଉରକେଲା, ୧୯/୧୨ : ରାଉରକେଲାରେ ପୁଣି ଗୁଳିକାଣ୍ଡ ଘଟିଛି । ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଗଣେଶ ମାର୍କେଟରେ ସୁନାଦୋକାନ କରିଥିବା ସରୋଜ ସାହୁଙ୍କ ମୃତ୍ୟୁ ହୋଇଛି। ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ସେଠାରୁ ଆଇଜିଏଚ୍ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଛି।
ସୂଚନା ମୁତାବକ ଗଣେଶ ମାର୍କେଟରେ ଥିବା ନିଜ ସୁନାଦୋକାନ ବନ୍ଦ କରି ସରୋଜ ନିଜ ବାଇକ୍ରେ ଲେବର ଟେନାମେଣ୍ଟ ନିକଟସ୍ଥ ଘରକୁ ଫେରୁଥିଲେ। ଏସ୍ଟିଆଇ ଓଭରବ୍ରିଜ୍ ନିକଟରେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା। ମୁଣ୍ଡରେ ଗୁଳିବାଜିବା ପରେ ସେ ତଳେ ପଡ଼ି ଯାଇଥିଲେ। ସରୋଜଙ୍କ ଠାରୁ ଲକ୍ଷାଧିକ ଟଙ୍କାର ଗହଣା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ୩ ଜଣ ଦୁର୍ବୃତ୍ତ ଗୁଳିମାଡ଼ କରି ଫେରାର ହୋଇଯାଇଥିବା ସୂଚନା ମିଳିଛି । ପୋଲିସ ଘଟଣାର ଛାନଭିନ ଆରମ୍ଭ କରିଛି । କିଛି ଦିନ ତଳେ ରାଉରକେଲାରେ ସୁନା ବ୍ୟବସାୟୀ ନରେଶ ସୋନିଙ୍କ ଉପରଙ୍କୁ ଗୁଳିମାଡ଼ କରିଥିଲେ ଦୁର୍ବୃତ୍ତ।