ଝାରସୁଗୁଡ଼ା ଉପନିର୍ବାଚନ : ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ

ଝାରସୁଗୁଡ଼ା ୧୮/୦୪: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ମଙ୍ଗଳବାର ପ୍ରାର୍ଥିପତ୍ର ଦାଖଲ କରିବେ । ଯାହାକୁ ନେଇ ଦଳ ପକ୍ଷରୁ ଜୋରଦାର ପ୍ରସ୍ତୁତି ହୋଇଛି । ସୋମବାର ବିଜେପି ପକ୍ଷରୁ ନାମାଙ୍କନ ଦାଖଲ ପାଇଁ ଭବ୍ୟ ଶୋଭାଯାତ୍ରା କରାଯାଇଥିଲା । ବିଜେଡି ପକ୍ଷରୁ ଏହାକୁ କାଉଣ୍ଟର୍‌ କରି ବିରାଟ ଭିଡ଼ ଜୁଟାଇବ ବୋଲି ଆଶା କରାଯାଉଛି । ଦୀପାଳିଙ୍କ ନାମାଙ୍କନ ଦାଖଲରେ ସାମିଲ ହେବା ଲାଗି ଦଳୀୟ ପର୍ଯ୍ୟବେକ୍ଷକ ବିଧାୟକ ସାରଦା ପ୍ରସାଦ ନାୟକ ଝାରସୁଗୁଡ଼ାରେ କ୍ୟାମ୍ପ୍‌ କରି ସମସ୍ତ କାର୍ଯ୍ୟ ତଦାରଖ କରୁଛନ୍ତି । ମଙ୍ଗଳବାର ସକାଳେ ରାଜ୍ୟସ୍ତରୀୟ ନେତା, ମନ୍ତ୍ରୀ, ସାଂସଦମାନେ ଝାରସୁଗୁଡ଼ା ପହଞ୍ଚିବେ ବୋଲି କୁହାଯାଇଛି ।

ସ୍ୱର୍ଗତ ନବକିଶୋର ଦାସଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ବିଜେଡି ଏହି ଆସନରେ ତାଙ୍କ ଝିଅ ଦୀପାଳି ଦାସଙ୍କୁ ପ୍ରାର୍ଥୀ ଘୋଷଣା କରିଛି । ଅନ୍ୟପକ୍ଷେ ନାମାଙ୍କନ ଦାଖଲ ବେଳେ ନିର୍ବାଚନମଣ୍ଡଳୀ ଅଞ୍ଚଳର ଲୋକଙ୍କୁ ଆଣି ବିଜେଡି ବଡ଼ ଶୋଭାଯାତ୍ରା ଦ୍ୱାରା ପ୍ରତିପକ୍ଷଙ୍କୁ ଜବାବ ଦେବାର ପ୍ରୟାସ କରିବ ।

ଝାରସୁଗୁଡ଼ା ବିଧାନସଭା କ୍ଷେତ୍ର ସମେତ ବ୍ରଜରାଜନଗର, ରେଙ୍ଗାଲି, ସୁନ୍ଦରଗଡ଼, କୁଚିଣ୍ଡା, ସମ୍ବଲପୁର ଆଦି ଆଖପାଖ ନିର୍ବାଚନମଣ୍ଡଳୀରୁ ବହୁ ସଂଖ୍ୟାରେ ଦଳୀୟ ନେତା ଏବଂ କର୍ମୀ ଯୋଗ ଦେବାର ବନ୍ଦୋବସ୍ତ କରାଯାଇଛି । ଏହି ସମାବେଶ ହିଁ ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ଏବଂ ଦଳ ପ୍ରତି ରହିଥିବା ସମର୍ଥନକୁ ସୂଚାଇବ, ଏଭଳି ବାର୍ତ୍ତା ଦେବାର ପ୍ରୟାସ ହେଉଛି । ଏନେଇ ଦଳର ନେତା ଓ କର୍ମୀ ଏକ ହୋଇ ଲାଗି ପଡ଼ିଛନ୍ତି ।

ରାଜ୍ୟ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବରିଷ୍ଠ ନେତା ତଥା ପର୍ଯ୍ୟବେକ୍ଷକ ପ୍ରସନ୍ନ ଆଚାର୍ଯ୍ୟ, ଦେବୀପ୍ରସାଦ ମିଶ୍ର, ମନ୍ତ୍ରୀ ଅରୁଣ ସାହୁ, ନିରଞ୍ଜନ ପୂଜାରୀ, ଟୁକୁନି ସାହୁ, ରାଜେନ୍ଦ୍ର ଢୋଲକିଆ, ରୀତା ସାହୁ, ପ୍ରତାପ ଦେବ, ପ୍ରତାପ ଜେନା, ପଦ୍ମନାଭ ବେହେରା, ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ପୁଷ୍ପେନ୍ଦ୍ର ସିଂହଦେଓ, ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସକାଳ ସାଢ଼େ ୯ଟାରୁ ମନମୋହନ ସ୍କୁଲ୍‌ ପଡ଼ିଆରୁ ଶୋଭାଯାତ୍ରା ବାହାରିବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି ।