୫୦ ଲକ୍ଷ ପାଇଁ ଦଶମ ଶ୍ରେଣୀ ଛାତ୍ରକୁ ହତ୍ୟା କରି ପୋଡ଼ି ଦେଲେ : ୨ ଗିରଫ

ଝାରସୁଗୁଡ଼ା, ୨୯/୦୩ : ୫୦ ଲକ୍ଷ ଟଙ୍କା ପାଇଁ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ଅପହରଣ ପରେ ହତ୍ୟା କରିଛନ୍ତି ଦୁଇ ଜଣ ବ୍ୟକ୍ତି। ୨୭ ତାରିଖ ରାତିରେ ଛାତ୍ରଙ୍କୁ ହତ୍ୟା କରିଛି ଅଭିଯୁକ୍ତ। ଏହି ଘଟଣାରେ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ୨ ଅଭିଯୁକ୍ତ ହେଲେ ଅମିତ କୁମାର ଶର୍ମା ଏବଂ ଦିନେଶ ଅଗ୍ରୱାଲ।

ଅପହରଣକାରୀ ଫୋନ କରି ଛାତ୍ରଙ୍କ ପରିବାର ଲୋକଙ୍କୁ ୫୦ ଲକ୍ଷ ଟଙ୍କା ମାଗିଥିଲେ। ଟଙ୍କା ନଦେଲେ ପୁଅକୁ ହତ୍ୟା କରିବେ ବୋଲି ଧମକ ଦେଇଥିଲେ। ଫଳରେ ଅପହୃତ ଛାତ୍ରଙ୍କ ବାପା ଏନେଇ ଝାରସୁଗୁଡ଼ା ଥାନାରେ ଅଭିଯୋଗ କରିଛି। ପୋଲିସ ୩ଟି ସ୍ପେଶାଲ୍ ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲା। ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତଙ୍କୁ ଧରିବାକୁ ଚେଷ୍ଟା ଚଳାଇଥିଲା। ଏପରିକି ଆଖପାଖ ଜିଲ୍ଲା ଗୁଡ଼ିକରେ ଛାନଭିନ୍ କରିଥିଲା। ଗତ ୨୭ ତାରିଖ ରାତିରେ ଛାତ୍ରଙ୍କୁ ହତ୍ୟା କରିଥିବା ପଚରାଉଚୁରା ବେଳେ ଅଭିଯୁକ୍ତ ସ୍ଵୀକାର କରିଛି।

ଖାଲି ସେତିକି ନୁହେଁ, ହତ୍ୟା କରିବା ପରେ ସେମାନେ ନାବାଳକକୁ ପୋଡ଼ି ମଧ୍ୟ ଦେଇଛନ୍ତି। ପିଲାଟିକୁ ଦୁଇ ବ୍ୟକ୍ତି ଟଙ୍କା ପାଇଁ ଝାରସୁଗୁଡ଼ାରୁ ଅପହରଣ କରିଥିବା ବେଳେ ତାଙ୍କୁ ବରଗଡ଼ରେ ହତ୍ୟା କରି ପୋଡ଼ି ଦେଇଛନ୍ତି। ଝାରସୁଗୁଡ଼ା ପୁଲିସ୍‌ ଘଟଣାର ତଦନ୍ତ କରିବା ସହ ସିସିଟିଭି ଓ ଅନ୍ୟାନ୍ୟ ଜିନିଷକୁ ତର୍ଜମା କରି ୨ ଜଣଙ୍କୁ ଗିରଫ କରିଛି। ଘଟଣା ସଂପର୍କରେ ଝାରସୁଗୁଡ଼ା ଏସପି ସ୍ମିତ୍ ପରମାର ସୂଚନା ଦେଇଛନ୍ତି ।