ବଣାଇଁ: ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ବରସୁଆଁ ନିକଟ ଜିନ୍ଦଲ ଗେଷ୍ଟ ହାଉସରୁ ଜିନ୍ଦଲର ଲଜିଷ୍ଟିକାଲ୍ ମ୍ୟାନେଜରଙ୍କ ରକ୍ତାକ୍ତ ମୃତଦେହ ସୋମବାର ସକାଳେ ଉଦ୍ଧାର କରାଯାଇଛି । ମୃତ ମ୍ୟାନେଜରଙ୍କ ନାମ ମୋତିରାମ ପାଲ । ସେ ଗତ କିଛିଦିନ ହେବ ଜିନ୍ଦଲ ଗେଷ୍ଟ ହାଉସରେ ରହୁଥିଲେ । ଜିନ୍ଦଲ କମ୍ପାନୀର ଏକ ଶାଖା ଟେନସାରେ ଥିବାବେଳେ ସେ ଏଠାରେ ରହି କାମ କରୁଥିଲେ । ପ୍ରତିଦିନ ଅଫିସରୁ ଗେଷ୍ଟ ହାଉସକୁ ଯିବାଆସିବା କରୁଥିଲେ ।
ସୋମବାର ସକାଳେ ତାଙ୍କ ମୃତଦେହ ରକ୍ତାକ୍ତ ଅବସ୍ଥାରେ ପଡିଥିବା ଦେଖି ଗେଷ୍ଟ ହାଉସର ୱେଟର ପୋଲିସକୁ ଖବର ଦେଇଥିଲେ । ପୋଲିସ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ôଚ ତଦନ୍ତ ଆରମ୍ଭ କରିଛି । ମୃତ ପାଲ ରହୁଥିବା ରୁମର ସବୁଆଡେ ରକ୍ତଦାନ ପଡ଼ିଥିବା ଦେଖିବାକୁ ମିଳିଛି । ତାଙ୍କୁ କେହି ଦୁର୍ବୃତ୍ତ ପିଟିପିଟି ହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି ।
ମୃତ ପାଲଙ୍କ ମୃତଦେହ ପୋଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏ ନେଇ ଏକ ହତ୍ୟା ମାମଲା ରୁଜୁ କରାଯାଇଛି । ପୋଷ୍ଟମର୍ଟମ ରିପୋର୍ଟ ମିଳିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି । ତେବେ କିଏ କାହିଁକି ତାଙ୍କୁ ହତ୍ୟା କଲା ସେ ନେଇ କିଛି ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ ।
