ନୂଆଦିଲ୍ଲୀ, ୦୪/୦୮ : କମ୍ପ୍ୟୁଟର କିଣିବାକୁ ଆଗ୍ରହୀ ଥିବା ୟୁଜରଙ୍କ ପାଇଁ ରିଲାଏନ୍ସ ଜିଓ ଲଞ୍ଚ କରିଛି ନୂଆ ଜିଓ-ପିସି । ମାତ୍ର ୪୦୦ ଟଙ୍କା ଦେଇ ଲୋକମାନେ ଏହି କ୍ଲାଉଡ୍ ପିସିରେ ୫୦,୦୦୦ ଟଙ୍କା ମୂଲ୍ୟଥିବା କମ୍ପ୍ୟୁଟର ଫିଚରକୁ ବ୍ୟବହାର କରିପାରିବେ । ଜିଓ କହିଛି ଯେ ଏହା ଏକ କ୍ଲାଉଡ୍-ଆଧାରିତ ଭର୍ଚୁଆଲ୍ ଡେସ୍କଟପ୍ ପ୍ଲାଟଫର୍ମ, ଯାହା ଆପଣଙ୍କ ଘର କିମ୍ବା ଅଫିସରେ ଥିବା ଟିଭି ସ୍କ୍ରିନକୁ କିଛି ସମୟ ପାଇଁ ଏକ ପର୍ସନାଲ କମ୍ପ୍ୟୁଟରରେ ପରିଣତ କରିପାରିବ । ଯେଉଁ ଗ୍ରାହକମାନଙ୍କ ପାଖରେ JioFiber କିମ୍ବା Jio AirFiber କନେକ୍ସନ ଅଛି ସେମାନଙ୍କୁ Jio-PC ବ୍ୟବହାର କରିବା ପାଇଁ ଏକ ମାସିକ ପ୍ଲାନ୍ ନେବାକୁ ପଡିବ । ନୂଆ ୟୁଜରମାନେ ଗୋଟିଏ ମାସ ପାଇଁ ଏହି ସର୍ଭିସ ମାଗଣାରେ ବ୍ୟବହାର କରିପାରିବେ । ଜିଓ କହିଛି ଯେ ଏହା କ୍ଲାଉଡ୍ କମ୍ପ୍ୟୁଟିଂରେ ଦେଶର ପ୍ରଥମ ‘ପେ-ଆଜ୍-ୟୁ-ଗୋ ମଡେଲ୍’। ଅର୍ଥାତ୍ ଆପଣ ଯେତେ ବ୍ୟବହାର କରିବେ ସେତିକି ଦେୟ ଦେବାକୁ ପଡ଼ିବ । ଏହି ସର୍ଭିସ ପାଇଁ କମ୍ପାନୀ କୌଣସି ଲକ୍-ଇନ୍ ପିରିୟଡ଼୍ ରଖିନାହିଁ । ଗ୍ରାହକଙ୍କୁ ରକ୍ଷଣାବେକ୍ଷଣ ଖର୍ଚ୍ଚ ମଧ୍ୟ ବହନ କରିବାକୁ ପଡିବ ନାହିଁ । Jio କହିଛି ଯେ Jio-PC ପ୍ଲାନ୍ ପ୍ରତି ମାସରେ ୪୦୦ ଟଙ୍କାରୁ ଆରମ୍ଭ ହେବ । ସବସ୍କ୍ରିପସନ୍ ସହିତ ୟୁଜରମାନେ ସମସ୍ତ AI ଟୁଲ୍ସ, ଆପ୍ଲିକେସନ୍ ଏବଂ ୫୧୨ GB କ୍ଲାଉଡ୍ ଷ୍ଟୋରେଜ୍ ମଧ୍ୟ ପାଇବେ । ୟୁଜରମାନେ ମାଗଣାରେ ‘Adobe Express’ ବ୍ୟବହାର କରିପାରିବେ । ‘Adobe Express’ ହେଉଛି ଏକ ଡିଜାଇନ୍ ଏବଂ ଏଡିଟିଂ ଡିଭାଇସ୍ । ଏଥିପାଇଁ Jio-PC Adobe କମ୍ପାନୀ ସହିତ ପାର୍ଟନରସିପ୍ କରିଛି । Jio କହିଛି ଯେ Jio-PC ବ୍ୟବହାର କରିବା ମଧ୍ୟ ବହୁତ ସହଜ । ଯେଉଁ ଘରେ JioFiber କିମ୍ବା Jio AirFiber ସହିତ ସେଟ୍-ଟପ୍ ବକ୍ସ, ଟିଭି ସହିତ କନେକ୍ଟ ଥିବ ସେଥିରେ କୀବୋର୍ଡ ଏବଂ କମ୍ପ୍ୟୁଟର ମାଉସ୍ କୁ କନେକ୍ଟ କରିବାକୁ ପଡିବ । ଏହା ପରେ ମେନ୍ ସ୍କ୍ରିନରେ Jio-PC ଆପ୍ ଇନଷ୍ଟଲ୍ କରି ଲଗ୍ ଇନ୍ କରିବେ । ଏହା ପରେ Jio PC ଚାଲିବା ଆରମ୍ଭ କରିବ ।