ଓଡ଼ିଶାରେ ୧ ଲକ୍ଷ କୋଟି ଟଙ୍କା ପୁଞ୍ଜିନିବେଶ କରିବ ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ : ସଜ୍ଜନ ଜିନ୍ଦଲ

ଭୁବନେଶ୍ୱର, ୨୫/୮ : ବିଶ୍ୱର ଅଗ୍ରଣୀ ଇସ୍ପାତ ନିର୍ମାତା ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍‌ ଓଡ଼ିଶାରେ ୧ ଲକ୍ଷ କୋଟି ଟଙ୍କା ପୁଞ୍ଜିନିବେଶ କରିବ। ଆସନ୍ତା ୧୦ ବର୍ଷ ମଧ୍ୟରେ ଏହି ନିବେଶ କରିବ କଂପାନୀ । ଷୋମବାର ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଏ ନେଇ ଆଲୋଚନା କରିଛନ୍ତି ଜେଏସଡବ୍ଲୁ ଷ୍ଟିଲ ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ ।

ଜିନ୍ଦଲ କହିଛନ୍ତି, କମ୍ପାନି ଜଗତ୍‌ସିଂହପୁର ଜିଲ୍ଲା ଜଟାଧାର ନିକଟରେ ବାର୍ଷିକ ୧୩.୨ ନିୟୁତ ଟନ୍‌ କ୍ଷମତାର ସମନ୍ୱିତ ଇସ୍ପାତ ପ୍ଲାଣ୍ଟ ସ୍ଥାପନ କରୁଛି। ଏ ପ୍ରକଳ୍ପ ଖୁବ୍‌ଶୀଘ୍ର ବାସ୍ତବ ରୂପ ନେବ । ପ୍ରସ୍ତାବିତ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଜମି, ପାଣି ଓ ବିଜୁଳି ଯୋଗାଇ ଦେଇଛନ୍ତି । ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରାଯାଉଛି । ସମ୍ବଲପୁର ଆଇଆଇଏମରେ ଜେଏସଡବ୍ଲୁ ସେଂଟର ଫର ଡେଭେଲପମେଂଟ ଷ୍ଟଡିଜ୍ ଆରମ୍ଭ କରାଯିବ । ଆଗାମୀ ୧୦ ବର୍ଷ ମଧ୍ୟରେ ଜେଏସ୍‌ଡବ୍ଲ୍ୟୁ ଓଡ଼ିଶାରେ ୧ ଲକ୍ଷ କୋଟି ଟଙ୍କା ପୁଞ୍ଜିନିବେଶ କରିବାକୁ ଯାଉଛି ବୋଲି ଶ୍ରୀ ଜିନ୍ଦଲ କହିଛନ୍ତି।

ଏପଟେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଜେଏସଡବ୍ଲୁ ଷ୍ଟିଲ ର ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟସରକାର ସମସ୍ତପ୍ରକାର ପଦକ୍ଷେପ ନେବେ । ବିଶେଷ କରି ଜଗତସିଂହପୁର ପ୍ରକଳ୍ପକୁ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ । ରାଜସ୍ୱ ବୃଦ୍ଧି ସହ ରୋଜଗାର ସୁଯୋଗ ସୃଷ୍ଟି କରିବା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି ନବୀନ ।

ସେହିଭଳି ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍‌ ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ାରେ ଏକ ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଓ ଏକ ସ୍କୁଲ ସ୍ଥାପନ କରିବ। ପିପିପି ମୋଡ୍‌ରେ ସ୍ଥାପନ ହେବାକୁ ଥିବା ଏହି ହସ୍ପିଟାଲ ଓ ସ୍କୁଲ କୋଇଡ଼ା ଖଣି ଅଞ୍ଚଳର ଅଧିବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ଓ ଶିକ୍ଷା ସେବା ଯୋଗାଇବ। ଏ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ସଚିବ ଅସିତ ତ୍ରିପାଠୀ, ୫-ଟି ସଚିବ ଭି କେ ପାଣ୍ଡିୟାନ୍‌, ଇସ୍ପାତ ଓ ଖଣି ସଚିବ ସୁରେନ୍ଦ୍ର କୁମାର ପ୍ରମୁଖ ଉପସ୍ଥିତ ଥିଲେ ।