ଭୁବନେଶ୍ୱର, ୦୮/୦୮: ଶ୍ରୀମନ୍ଦିର ଗଳାବାଟରେ ଶ୍ରଦ୍ଧାଳୁଙ୍କ ପ୍ରବେଶ କରାଇବା ନିମନ୍ତେ ହାତଗୁଞ୍ଜା ନେଇ ଧରାପଡ଼ିଥିବା ନବନିଯୁକ୍ତ ଜେଟିପି ସ୍କ୍ୱାଡ୍ ବିଦା ହେଲେ । ଉକ୍ତ କର୍ମଚାରୀ ଜଣକ ସୁକାନ୍ତ କୁମାର ଜେନା । ଆଉଟସୋର୍ସିଂ ସଂସ୍ଥା ଜରିଆରେ ଏହି କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଥିଲା । ତେଣୁ ଏହି କାର୍ମଚାରୀଙ୍କୁ କାର୍ଯ୍ୟରୁ ଅନ୍ତର କରିବାକୁ ଆଉଟ୍ସୋର୍ସିଂ ସଂସ୍ଥା ଏମ୍ଏସ୍ ପ୍ରପଟି ସଲ୍ୟୁସନ୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍କୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ନୋଟିସ୍ ଜାରି କରିଛି । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଜେଟିପି ପଦବି ସାଙ୍ଗକୁ ଅନ୍ୟ ବହୁ ପଦବି ଖାଲି ପଡ଼ିଛି । ଏହାକୁ ପୂରଣ ନକରି ଶ୍ରୀଜଗନ୍ନାଥ ପ୍ରଶାସନିକ ଅଧିକାରୀମାନେ ଆଉଟସୋର୍ସିଂରେ କର୍ମଚାରୀ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟରେ ଆଉଟ୍ସୋର୍ସିଂ ଜରିଆରେ ଜେଟିପି ସ୍କ୍ୱାଡ୍, ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ନେଇ ଏନ୍ଫୋର୍ସମେଣ୍ଟ ସ୍କ୍ୱାଡ୍, ସିକ୍ୟୁରିଟି ଗାର୍ଡ, ସଫେଇ କର୍ମଚାରୀ ପ୍ରଭୃତି ନିଯୁକ୍ତ କରାଯାଇଛି। ଏହାବାଦ୍ ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟରେ ପ୍ରାୟ ୧୫ରୁ ଅଧିକ ଅବସରପ୍ରାପ୍ତ ଅଧିକାରୀଙ୍କୁ ଥଇଥାନ କରାଯାଇଛି । ଏବେ ୩ରୁ ଊଦ୍ଧ୍ୱର୍ ଆଉଟସୋର୍ସିଂ ସଂସ୍ଥା ଜରିଆରେ ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟରେ ପ୍ରାୟ ୪୦୦ରୁ ଅଧିକ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଛି । ପ୍ରାୟ ଦୁଇ ଦଶନ୍ଧି ଧରି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଖାଲିଥିବା ପଦବି ପୂରଣ ନିମନ୍ତେ କୌଣସି ବିଧିବଦ୍ଧ ସରକାରୀ ପଦକ୍ଷେପ ନିଆଯାଇନି ।