ରାଫେଲ୍‌ ରାଜିନାମା ତଦନ୍ତ ନିମନ୍ତେ ବିଚାରପତି ନିଯୁକ୍ତ

ନୂଆଦିଲ୍ଲୀ: ‘ଡାସୋ’ ନିର୍ମିତ ୩୬ଟି ଲଢୁଆ ବିମାନ ଖରିଦ କରିବା ଲାଗି ୨୦୧୬ରେ ଭାରତ ସହ ହୋଇଥିବା ରାଫେଲ୍‌ ରାଜିନାମାରେ ‘ଦୁର୍ନୀତି ଏବଂ ପକ୍ଷପାତ’ ହୋଇଛି ବୋଲି ଉଠିଥିବା ଅଭିଯୋଗର ତଦନ୍ତ ଲାଗି ଫ୍ରାନ୍‌ସ୍‌ ତଦନ୍ତ ଆରମ୍ଭ କରିଛି। ଭାରତୀୟ ମୁଦ୍ରା ହିସାବରେ ପ୍ରାୟ ୫୯,୦୦୦ କୋଟି ଟଙ୍କାର ଏହି ଚୁକ୍ତିର ବିଚାର ବିଭାଗୀୟ ତଦନ୍ତର ନେତୃତ୍ବ ନେବା ଲାଗି ଜଣେ ଫରାସୀ ବିଚାରପତିଙ୍କୁ ନିଯୁକ୍ତ କରାଯାଇଛି।

ଜୁନ୍‌ ୧୪ ତାରିଖରେ ଔପଚାରିକ ଭାବେ ଏହି ତଦନ୍ତ ଆରମ୍ଭ ହୋଇଛି। ‘ଫ୍ରେଞ୍ଚ୍‌ ପବ୍ଲିକ୍‌ ପ୍ରସିକ୍ୟୁସନ୍‌ ସର୍ଭିସ୍‌’ର (ପିଏନ୍ଏଫ୍‌) ଅର୍ଥନୈତିକ ଅପରାଧ ଶାଖା କହିଛି ଯେ, ୩୬ଟି ଲଢୁଆ ବିମାନ ଖରିଦ କରିବା ଲାଗି ଫରାସୀ ବିମାନ ନିର୍ମାତା ‘ଡାସୋ’ ଏବଂ ଭାରତ ସରକାରଙ୍କ ମଧ୍ୟରେ ହୋଇଥିବା ଚୁକ୍ତିରେ ‘ଦୁର୍ନୀତି ଏବଂ ପକ୍ଷପାତ’ ହୋଇଛି ବୋଲି ଉଠିଥିବା ଅଭିଯୋଗର ତଦନ୍ତ କରିବ।

ଶୁକ୍ରବାର ଦିନ ଫରାସୀ ପ୍ରକାଶନ ‘ମିଡିଆପାର୍ଟ’ ରିପୋର୍ଟ କରିଛି ଯେ, ଔପଚାରିକ ଭାବେ ଏହି ଅପରାଧିକ ତଦନ୍ତ ଜୁନ୍ ୧୪ ତାରିଖ ଦିନ ଆରମ୍ଭ ହୋଇଛି। ଜଣେ ସ୍ବାଧୀନ ମାଜିଷ୍ଟ୍ରେଟ୍‌ ଏହାର ନେତୃତ୍ବ ନେବେ। ଅନ୍ୟାନ୍ୟ ବିଷୟ ସମତେ ସେ ପୂର୍ବତନ ଫରାସୀ ରାଷ୍ଟ୍ରପତି ଫନ୍ସୁଆ ହୋଲାଣ୍ଡଙ୍କ କାର୍ଯ୍ୟକଳାପ ପ୍ରତି ଜାତ ହୋଇଥିବା ସଂଶୟର ବିଶ୍ଳେଷଣ କରିବେ। ରାଫେଲ୍‌ ରାଜିନାମା ସ୍ବାକ୍ଷର ବେଳେ ‌ହୋଲାଣ୍ଡ‌ ଫ୍ରାନ୍‌ସ୍‌ର ରାଷ୍ଟ୍ରପତି ଥିଲେ। ସମ୍ପ୍ରତି ଫ୍ରାନ୍‌ସ୍‌ର ରାଷ୍ଟ୍ରପତି ଥିବା ଇମାନୁଏଲ୍‌ ମାକ୍ରୋନ୍‌ ସେତେବେଳେ ହୋଲାଣ୍ଡଙ୍କର ଅର୍ଥନୈତିକ ଓ ଅର୍ଥମନ୍ତ୍ରୀ ଥିଲେ। କିନ୍ତୁ, ଏହି ତଦନ୍ତ ସଂକ୍ରାନ୍ତରେ ‘ଡାସୋ ଏଭିଏସନ୍‌’ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହିଁ। ଏହି ରାଜିନାମାରେ କୌଣସି ଦୁର୍ନୀତି ହୋଇ ନାହିଁ ବୋଲି ପୂର୍ବରୁ ‘ଡାସୋ’ କହିଥିଲା।