ଭୁବନେଶ୍ୱର, ୨୯/୦୩ : ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିବ। ବିଶେଷ କରି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ଵର ଓ ଭଦ୍ରକ ଜିଲ୍ଲା ପାଇଁ ‘ଅରେଞ୍ଜ ୱାର୍ଣ୍ଣିଂ’ ଜାରି କରାଯାଇଛି। ଏଠାରେ ପବନର ବେଗ ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ରହିବା ସହ ପ୍ରବଳ ଘଡ଼ଘଡ଼ି ଓ ବର୍ଷା ହେବାର ସମ୍ଭାବନା ରହିଛି। ଏପରିକି କୁଆପଥର ବର୍ଷା ସହ ଝଡ଼ ପବନ ନେଇ ଜାରି ହେଲା ସତର୍କତା। ସେହିପରି ୧୧ଟି ଜିଲ୍ଲା ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ ଏବଂ ନୟାଗଡ଼କୁ ‘ୟେଲୋ ୱାର୍ଣ୍ଣିଂ’ ପ୍ରଦାନ କରାଯାଇଛି। ଏହାବ୍ୟତୀତ କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂପୁର ସମେତ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଅନେକ ଜିଲ୍ଲାରେ ମଧ୍ୟ କାଳବୈଶାଖୀର ପ୍ରଭାବ ରହିବ। ତେବେ ଏହି ଜିଲ୍ଲାମାନଙ୍କରେ ଘଣ୍ଟା ପ୍ରତି ୪୦-୫୦ କିମି ବେଗରେ ପବନ ବହିପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ସେହିପରି ଉତ୍ତର ଓଡ଼ିଶା କୂଳ ସମୁଦ୍ର ଅଶାନ୍ତ ରହିଥିବାରୁ ଆଜି ମତ୍ସ୍ୟଜୀବୀଙ୍କୁ ଗଭୀର ସମୁଦ୍ର ମଧ୍ୟକୁ ନଯିବାକୁ ବାରଣ କରାଯାଇଛି।