କରଞ୍ଜିଆରେ କାଳବୈଶାଖିର ତାଣ୍ଡବ : ପ୍ରବଳ ପବନ ସାଙ୍ଗକୁ ବର୍ଷା କଲା ବେହାଲ

ଭୁବନେଶ୍ୱର, ୧୬/୦୩ : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରେ କାଳବୈଶାଖିର ତାଣ୍ଡବ। ପ୍ରବଳ ପବନ ସାଙ୍ଗକୁ ବର୍ଷା କଲା ବେହାଲ । ପବନର ମାତ୍ରା ଏତେ ଥିଲା, ଯେ ଏତେତେଣେ ଛିଟକି ପଡ଼ିଥିଲେ ଲୋକେ । ଏଥିରେ ୨ ଜଣଙ୍କ ଜୀବନ ଯାଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ କରଞ୍ଜିଆ ଉପଖଣ୍ଡ ଓ କେନ୍ଦୁଝର ଜିଲ୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ବିଶେଷକରି ଘୁର୍ଣ୍ଣିଝଡ଼ ପ୍ରଭାବରେ କରଞ୍ଜିଆ ବ୍ଲକର କଙ୍କଡା, କିଆପାଣପଶି, ମେଣ୍ଢାସିଂହା ଅଞ୍ଚଳ ଅଧିକ ପ୍ରଭାବିତ ହୋଇଛି। ପବନର ବେଗରେ ଗଛ, ଏକାଧିକ ଘର ଭାଙ୍ଗି ଯାଇଛି। ଏମିତିକି ପବନ ବେଗରେ କିଏ ପୋଖରୀରେ ତ ଆଉ କିଏ ଆଖପାଖ ପଡ଼ିଆରେ ଯାଇ ପଡ଼ିଥିଲେ । ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ଼। କନ୍ଧମାଳ ଜିଲ୍ଲା ଜି.ଉଦୟଗିରିରେ ଅପରାହ୍ଣରେ ହଠାତ୍ ମାଡ଼ିଆସିଥିଲା କଳା ବାଦଲ। ଦେଖୁଦେଖୁ ସହରସାରା ଅନ୍ଧକାରମୟ ହୋଇଯାଇଥିଲା। ଘଡ଼ଘଡ଼ି ଓ ବିଜୁଳି ମାରିବା ସହିତ ପ୍ରବଳ ବର୍ଷା ହୋଇଥିଲା। ବିଶେଷକରି କଳିଙ୍ଗା ଅଞ୍ଚଳରେ କାଳବୈଶାଖୀର ପ୍ରଭାବରେ ପ୍ରବଳ ବର୍ଷା ହୋଇଥିବା ଦେଖିବାକୁ ମିଳିଛି । ଏହାସହିତ କୁଆପଥର ମାଡ଼ରେ ରାସ୍ତାଘାଟ ବରଫମୟ ହୋଇଯାଇଥିଲା । କିଛି ଘଣ୍ଟା ପାଇଁ ଏହି ଅଞ୍ଚଳ କାଶ୍ମୀରର ବରଫପାତ ଦୃଶ୍ୟ ଅନୁଭୂତ ହୋଇଥିଲା । କାଳବୈଶାଖୀ ବର୍ଷା ପରେ ଚାଷୀଙ୍କ ମୁହଁରେ ହସ ଦେଖିବାକୁ ମିଳିଛି ।