ଭୁବନେଶ୍ୱର : ବର୍ଷକ ପରେ ପୁଣିଥରେ କାଳିଆ ଯୋଜନାରେ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାପାଇଁ ସରକାରଙ୍କ ପକ୍ଷରୁ ତତ୍ପରତା ଦେଖାଦେଇଛି। ନିକଟରେ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ କାଳିଆ ନେଇ ବୈଠକ ଅନୁଷ୍ଠିତ ହେବା ପରେ ରାଜ୍ୟ ଅର୍ଥ ବିଭାଗ ଚାଷୀଙ୍କୁ କାଳିଆ ସହାୟତା ଯୋଗାଇ ଦେବାପାଇଁ ଆଗଭର ହୋଇଛି। ସୂଚନା ଅନୁଯାୟୀ ଏଥର ୩୨ଲକ୍ଷ ଚାଷୀଙ୍କୁ କାଳିଆ ଯୋଜନାରେ ସହାୟତା ଯୋଗାଇ ଦିଆଯିବ। ଏନେଇ ଅର୍ଥ ବିଭାଗ ପକ୍ଷରୁ କୃଷି ବିଭାଗର ଏକ ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଛି। ଫଳରେ ଖରିଫ ଚାଷବେଳେ ଚାଷୀଙ୍କୁ କାଳିଆ ସହାୟତା ଅଧିକ ଉପଯୋଗୀ ହେବ ବୋଲି ଜଣାଯାଇଛି।
କୃଷିବିଭାଗର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ ରାଜ୍ୟ ସରକାର ଏବେ କରୋନା ମୁକାବିଲା ସହିତ ଗ୍ରାମୀଣ କୃଷି ଭିତ୍ତିଭୂମି ଓ ଚାଷୀଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି। କରୋନା ମହାମାରୀ ପାଇଁ ମାସାଧିକ କାଳ ଲକ୍ ଡାଉନ ଯୋଗୁଁ କୃଷକ ଓ କୃଷିକ୍ଷେତ୍ର ପ୍ରଭାବିତ ହୋଇ ପଡିଥିବାରୁ ଏହି ସମୟରେ ଚାଷୀଙ୍କୁ କାଳିଆ ସହାୟତା ଦେବାପାଇଁ ସରକାର ଅଣ୍ଟା ଭିଡ଼ିଛନ୍ତି। ଚାଷୀଙ୍କୁ କାଳିଆ ଯୋଜନା ଯୋଗାଇ ଦେବାକୁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକର ନିଷ୍ପତ୍ତି ଅନୁଯାୟୀ ଖୁବଶୀଘ୍ର ୩୨ ଲକ୍ଷ ଚାଷୀଙ୍କୁ କାଳିଆ ସହାୟତା ରାଶି ବଣ୍ଟନ କରାଯିବ।