ଶହୀଦ ଚନ୍ଦ୍ରକାନ୍ତଙ୍କୁ ଶେଷ ସମ୍ମାନ, ଲୁହରେ ଭିଜିଲା କନ୍ଧମାଳ ଜିଲ୍ଲା

କନ୍ଧମାଳ,୧୯/୬: ଗଲୱାନରେ ଶହୀଦ ହୋଇଥିବା ଓଡିଆ ପୁଅ ଚନ୍ଦ୍ରକାନ୍ତ ପ୍ରଧାନଙ୍କୁ ରାଇକିଆ ମହୋତ୍ସବ ପଡ଼ିଆରେ ଆଜି ସହିଦ ଚନ୍ଦ୍ରକାନ୍ତଙ୍କୁ ଦିଆଯାଇଛି ଗାର୍ଡ ଅଫ ଅନର ସମ୍ମାନ । ଏହି ଅବସରରେ ମନ୍ତ୍ରୀ ଡ଼. ଅରୁଣ ସାହୁ, ସାଂସଦ ଅଚ୍ୟୁତ ସାମନ୍ତଙ୍କ ସମେତ ଜିଲ୍ଲାର ବହୁ ନେତା ଓ ପ୍ରଶାସନିକ ଅଧିକାରୀ ଯୋଗଦେଇଥିଲେ । ବୀର ଯବାନ ଅମର ରହେ ଧ୍ବନିପରେ ସାରା ପରିବେଶ ପ୍ରକମ୍ପିତ ହୋଇଥିଲା ।

କନ୍ଧମାଳ ଜିଲ୍ଲାସ୍ତରୀୟ ଶେଷ ସମ୍ମାନ ଦିଆଯିବା ପରେ ଶହୀଦଙ୍କ ମରଶରୀରକୁ ଶୋଭାଯାତ୍ରାରେ ନିଆଯିବ ତାଙ୍କ ଜନ୍ମମାଟିକୁ । ସେଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସଂପନ୍ନ ହେବ । ସମଗ୍ର ଜିଲ୍ଲାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଗତକାଲି ଶହୀଦ ନନ୍ଦୁରାମ ସୋରେନ ଓ ଚନ୍ଦ୍ରକାନ୍ତ ପ୍ରଧାନଙ୍କ ମରଶରୀର ଭୁବନେଶ୍ବରରେ ପହଞ୍ଚିଥିଲା । ସେଠାରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଶେଷଦର୍ଶନ କରିଥିଲେ ।