ନୂଆଦିଲ୍ଲୀ,୪/୧୦ : ହିମାଚଳ ପ୍ରଦେଶର ମଣ୍ଡି ଆସନରେ ହେବାକୁ ଥିବା ଉପ-ନିର୍ବାଚନରେ କଙ୍ଗନା ବିଜେପି ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଚଳିତ ବର୍ଷ ମାର୍ଚ୍ଚରେ ବିଜେପି ସାଂସଦ ରାମସ୍ୱରୂପ ଶର୍ମାଙ୍କ ଦେହାନ୍ତ ପରେ ଏହି ଆସନ ଖାଲି ରହିଛି। ମଣ୍ଡି ଲୋକସଭା ବ୍ୟତୀତ ହିମାଚଳ ବିଜେପି ନିର୍ବାଚନ କମିଟି ଅକ୍ଟୋବର ୩୦ରେ ରାଜ୍ୟର ତିନୋଟି ବିଧାନସଭା ଆସନରେ ଅନୁଷ୍ଠିତ ହେବାକୁ ଥିବା ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ ଚୂଡ଼ାନ୍ତ କରିବାକୁ ଯାଉଛି।

ମିଡିଆ ରିପାର୍ଟ ଅନୁଯାୟୀ, କଙ୍ଗନା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଖୋଲାଖୋଲି ଭାବେ ଇଚ୍ଛା ପ୍ରକାଶ କରିନାହାଁନ୍ତି। ଅପରପକ୍ଷରେ ବିଜେପିର ବରିଷ୍ଠ ନେତାମାନେ ପ୍ରାର୍ଥୀମାନଙ୍କ ବିଷୟରେ ଏକ ରାଉଣ୍ଡ ଆଲୋଚନା କରିସାରିଛନ୍ତି। ଏହି ଆଲୋଚନା ପରେ ବିଜେପି କଙ୍ଗନାକୁ ଟିକେଟ୍ ଦେବା ସପକ୍ଷରେ ଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ, କଙ୍ଗନା ରାଣାୱତ ମଣ୍ଡି ଜିଲ୍ଲା ସ୍ଥିତ ଭାମ୍ବଲା ଗାଁର ଏବଂ ନିକଟରେ ସେ ମନାଲିରେ ନିଜର ନୂତନ ଘର ନିର୍ମାଣ କରିଛନ୍ତି। ଏହା ମଧ୍ୟ ମଣ୍ଡି ନିର୍ବାଚନମଣ୍ଡଳୀ ଅଧୀନରେ ରହିଛି।