ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ କପିଲ୍‌ ଦେବ

ନୂଆଦିଲ୍ଲୀ, ୨୫/୧୦ : କ୍ରିକେଟ୍‌ କିଂବଦନ୍ତି ତଥା ପୂର୍ବତନ ଭାରତୀୟ କ୍ୟାପ୍‌ଟେନ୍‌ କପିଳ ଦେବ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି। ଟୁଇଟ୍‌ କରି ଏ କଥା ସୁନିଶ୍ଚିତ କରିଛନ୍ତି କପିଳଙ୍କର ପୂର୍ବତନ ଟିମ୍‌ମେଟ୍‌ ଚେତନ ଶର୍ମା।

ସେ ‌ଟୁଇଟ୍‌ କରିଛନ୍ତି, ସୁସମ୍ବାଦ। କପିଲ୍ ପା’ଜି ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ଡାକ୍ତରଖାନାରୁ ବିଦା ହୋଇଛନ୍ତି। ଜୟ ମାତା ଦି। ୬୧ ବର୍ଷିୟ କପିଲ୍‌ଙ୍କର ଆଞ୍ଜିଓପ୍ଲାଷ୍ଟି କରିଥିବା ଡାକ୍ତର ଅତୁଲ ମାଥୁର ଓ କପିଲ୍‌ଙ୍କର ଏକ ଫଟୋ ମଧ୍ୟ ସେ ଏହି ଟୁଇଟ୍‌ରେ ସେୟାର୍‌ କରିଛନ୍ତି।

ଛାତିରେ ଯନ୍ତ୍ରଣା ହେବା କାରଣରୁ ଗତ ଗୁରୁବାର ଦିନ କପିଲ୍‌ଙ୍କୁ ‘ଫୋର୍ଟିସ୍ ଏସ୍କର୍ଟ ହାର୍ଟ ଇନ୍‌ଷ୍ଟିଚ୍ୟୁଟ୍‌’ର ଜରୁରୀକାଳୀନ ବିଭାଗରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନାରୁ ଜାରି ହୋଇଥିବା ବିବୃତି ଅନୁସାରେ, କପିଲ୍ ଏବେ ଭଲ ଅଛନ୍ତି ଏବଂ ଅବିଳମ୍ବେ ନିଜର ଦୈନନ୍ଦିନ କାମ ଆରମ୍ଭ କରିପାରି‌ବେ।

ଡାକ୍ତରଖାନା ବିବରଣୀରେ ଉଲ୍ଲେଖ ଅଛି ଯେ, ଆଜି ଅପରାହ୍ଣରେ କପିଲ୍‌ ଦେବ ମୁକ୍ତ ହେଲେ । ସେ ଭଲ ଅଛନ୍ତି ଏବଂ ଖୁବ୍ ଶୀଘ୍ର ତାଙ୍କର ଦୈନନ୍ଦିନ କାମ ଆରମ୍ଭ କରିବେ। ଏବେ ସେ ଡାକ୍ତର ଅତୁଲ ମାଥୁରଙ୍କ ନିୟମିତ ପରାମର୍ଶ ଓ ତତ୍ତ୍ବାବଧାନରେ ରହିବେ।