ବେଙ୍ଗାଲୁରୁ,୨୬ /୪ : ଦେଶରେ ଦୈନିକ କରୋନା ସଂକ୍ରମଣ ସାଢ଼େ ୩ ଲକ୍ଷ ଅତିକ୍ରମ କରିଛି। ତେଣୁ କରୋନା ସଂକ୍ରମଣକୁ ରୋକିବା ଲାଗି ବିଭିନ୍ନ ରାଜ୍ୟ ସରକାର ଲକଡାଉନ ଉପରେ ନିର୍ଭର କରିଛନ୍ତି। ଏହି ପରିପ୍ରେକ୍ଷୀରେ କର୍ନାଟକ ସରକାର ରାଜ୍ୟରେ ୧୪ ଦିନିଆ କର୍ଫ୍ୟୁ ଲାଗୁ କରିବାକୁ ଘୋଷଣା କରିଛନ୍ତି।
ଆସନ୍ତାକାଲିଠାରୁ ରାତି ୯ଟାରୁ ୧୪ ଦିନ ପାଇଁ ରାଜ୍ୟବ୍ୟାପୀ କର୍ଫ୍ୟୁ ବା ଲକଡାଉନ ଲାଗୁ କରାଯିବ। ଏ ନେଇ ଆଜି ମୁଖ୍ୟମନ୍ତ୍ରୀ ବି. ଏସ. ୟେଦୁରପ୍ପା ଘୋଷଣା କରିଛନ୍ତି। ତେବେ ଏହି ୧୪ ଦିନ ମଧ୍ୟରେ ଜରୁରୀ ସେବାଗୁଡ଼ିକ ଜାରି ରହିବ। ଜରୁରୀ ସେବା ବାଦ୍ ଅନ୍ୟ ସମସ୍ତ ସେବା ବନ୍ଦ ରହିବ। କିରାନା ଦୋକାନ, ଦୁଗ୍ଧ ଏବଂ ପରିବା ଦୋକାନ କେବଳ ସକାଳ ୬ରୁ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ୪ ଘଣ୍ଟା ପାଇଁ ଖୋଲା ରହିବ। ସର୍ବସାଧାରଣ ପରିବହନ ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।