କର୍ଣ୍ଣାଟକରେ ଶପଥ ନେଲେ ୨୯ ନୂଆ ମନ୍ତ୍ରୀ
ନୂଆଦିଲ୍ଳୀ, ୪/୮: ଆଜି କର୍ଣ୍ଣାଟକରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହୋଇଛି । ୨୯ ବିଧାୟକ ମନ୍ତ୍ରୀପଦର ଶପଥ ନେଇଛନ୍ତି। କାର୍ଣ୍ଣାଟକର ରାଜ୍ୟପାଳ ଥାବରଚନ୍ଦ ଗେହଲଟ ରାଜଭବନରେ ମନ୍ତ୍ରୀମାନଙ୍କୁ ପଦ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମଇ ଉପସ୍ଥିତ ଥିଲେ ।
ଏହା ପୂର୍ବରୁ ନିଜର ମନ୍ତ୍ରିମଣ୍ଡଳରେ ୨୯ ନୂଆ ମନ୍ତ୍ରୀଙ୍କୁ ସାମିଲ କରାଯିବ ବୋଲି କହିବା ସହ କେହି ଉପମୁଖ୍ୟମନ୍ତ୍ରୀ ରହିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ମୋମ୍ମଇ କହିଥିଲେ। ଏହା ସହ ଯେଉଁମାନେ ମନ୍ତ୍ରିମଣ୍ଡଳରେ ସାମିଲ ହେବେ ସେମାନଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପାଙ୍କ ପୁଅ ତଥା ରାଜ୍ୟ ବିଜେପି ଉପାଧ୍ୟକ୍ଷ ଓ୍ବାଇ ବିଜୟେନ୍ଦ୍ର ସାମିଲ ହେବେ ନାହିଁ ବୋଲି ମଧ୍ୟ ସେ କହିଥିଲେ ।
ସାମ୍ବାଦିକଙ୍କ ପ୍ରଶ୍ନରେ ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଏସ ୟେଦିୟୁରପ୍ପାଙ୍କ ସରକାରରେ ୩ ଜଣ ଉପମୁଖ୍ୟମନ୍ତ୍ରୀ ଥିଲେ କିନ୍ତୁ ଦଳର ଶୀର୍ଷ ନେତୃତ୍ବଙ୍କ ନିର୍ଦେଶ କ୍ରମେ ଏଥର କେହି ଉପମୁଖ୍ୟମନ୍ତ୍ରୀ ହେବେ ନାହିଁ । ମନ୍ତ୍ରିମଣ୍ଡଳରେ ୭ ମନ୍ତ୍ରୀ ଅନ୍ୟ ପଛୁଆ ବର୍ଗର ହୋଇଥିବା ବେଳେ ୩ ଏସସି ଏବଂ ଜଣେ ଏସଟି, ୭ ବୁକ୍କାଲିଗା ସମୁଦାୟ, ୮ ଲିଙ୍ଗାୟତ ସମୁଦାୟ, ଜଣେ ରେଡ୍ଡୀ ସମୁଦାୟ ଏବଂ ଜଣେ ମହିଳା ସାମିଲ ହୋଇଥିବା ନେଇ ବସବରାଜ ବୋମ୍ମଇ କହିଛନ୍ତି ।