ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡ଼ା ଯିବେ ରାଜ୍ୟସଭା : ସମର୍ଥନ ଦେବ କଂଗ୍ରେସ

ନୂଆଦିଲ୍ଲୀ,୯/୬ : କଂଗ୍ରେସ ସମର୍ଥନରେ ନିଜ ରାଜ୍ୟ କର୍ଣ୍ଣାଟକରୁ ରାଜ୍ୟସଭା ନିର୍ବାଚନ ଲଢ଼ିବେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି ଦେବେଗୌଡ଼ା। ଗତ ଲୋକସଭା ନିର୍ବାଚନରେ ଟୁମ୍‌କୁର ଆସନରୁ ମାତ୍ର ୧୩ହଜାର ଭୋଟ୍‌ରେ ପରାଜିତ ହୋଇଥିବା ୮୭ ବର୍ଷୀୟ ଦେବେଗୌଡ଼ାଙ୍କୁ ସଂସଦକୁ ଆଣିବା ପାଇଁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆଗ୍ରହ ପ୍ରକାଶ କରିବା ସହ ସମର୍ଥନ ଘୋଷଣା କରିଛନ୍ତି। କଂଗ୍ରେସର ସମର୍ଥନକୁ ଦେବେଗୌଡ଼ା ସ୍ବୀକାର କରିବା ସହ ପ୍ରତିଦ୍ବନ୍ଦ୍ବିତା ପାଇଁ ସମ୍ମତି ଜଣାଇଛନ୍ତି। ଲୋକସଭା ନିର୍ବାଚନରେ ପରାଜିତ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡ଼୍‌ଗେଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିବାବେଳେ ଦଳର ବଳକା ୧୬ ଭୋଟ୍‌ କାହାକୁ ଦିଆଯିବ ସେ ନେଇ ବିଚାରବିମର୍ଶ ଚାଲିଥିଲା। ଏହି ପରିପ୍ରେକ୍ଷୀରେ ସୋନିଆ ଦେବେଗୌଡ଼ାଙ୍କୁ ସମର୍ଥନ ସମ୍ପର୍କରେ ଘୋଷଣା କରିଛନ୍ତି। ଏଥିସହିତ ଜନତା ଦଳ (ଏସ୍‌) ପକ୍ଷରୁ ଦେବେଗୌଡ଼ାଙ୍କୁ ରାଜ୍ୟସଭାକୁ ପଠାଯିବା ପାଇଁ ନିଷ୍ପତ୍ତି ହୋଇଛି ଏବଂ କଂଗ୍ରେସ ତାଙ୍କୁ ସମର୍ଥନ ଘୋଷଣା କରିଛି। ଆସନ୍ତା ୧୯ରେ କର୍ଣ୍ଣାଟକର ୪ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବାକୁ ଅଛି। ପ୍ରତି ପ୍ରାର୍ଥୀଙ୍କୁ ବିଜୟ ପାଇଁ ୪୮ଟି ପ୍ରଥମ ପସନ୍ଦ ଭୋଟ୍‌ ଆବଶ୍ୟକ। ବିଧାୟକଙ୍କ ସଂଖ୍ୟା ଦୃଷ୍ଟିରୁ ବିଜେପି ସହଜରେ ଦୁଇଟି ଆସନ ହାସଲ କରିବାର କ୍ଷମତା ରଖିଥିବାବେଳେ କଂଗ୍ରେସ ଗୋଟିଏରେ ଜିତିବା ନିଶ୍ଚିତ। ଜେଡି(ଏସ୍‌) ନିକଟ‌େ‌ର ବଳକା ୩୪ ବିଧାୟକ ଥିବାବେଳେ ଚତୁର୍ଥ ଆସନରେ ବିଜୟ ପାଇଁ ଆଉ ୧୪ ବିଧାୟକଙ୍କ ସମର୍ଥନ ଆବଶ୍ୟକ; ଯାହା କଂ‌ଗ୍ରେସରୁ ମିଳିଯିବ।

୧୯୬୨ରୁ ପ୍ରତ୍ୟକ୍ଷ ନିର୍ବାଚନ ମାଧ୍ୟମରେ ବିଧାନସଭା ଓ ଲୋକସଭାକୁ ପ୍ରବେଶ କରିଆସିଥିବା ଦେବେଗୌଡ଼ା କେବଳ ୧୯୯୬ରେ ପ୍ରଧାନମନ୍ତ୍ରୀ ହେବାବେଳେ ମାତ୍ର ଦୁଇ ବର୍ଷ ପାଇଁ ରାଜ୍ୟସଭା ସଦସ୍ୟ ଥିଲେ। ଦେବେଗୌଡ଼ା ଜୀବନକାଳରେ ମୋଟ ୧୬ଟି ନିର୍ବାଚନ ଲଢ଼ିଥିବାବେଳେ ସେଥିମଧ୍ୟରୁ ୭ଟି ବିଧାନସଭା ଓ ୬ଟି ଲୋକସଭା ନିର୍ବାଚନରେ ବିଜୟ ହାସଲ କରିଛନ୍ତି।